ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର : ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା। ଆଜି ସକାଳେ ସେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜୀ ଜେଲ୍ ପରିସର ରୋଷେଇ ଘର ପାର୍ଶ୍ୱ ଏକ ଗଛରେ ଟାୱେଲ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମାମଲାରେ ସେ ଏକମାତ୍ର ଅଭିଯୁକ୍ତ ଥିଲେ। ଆଜି ତାଙ୍କୁ କୋର୍ଟରେ ହାଜର ହେବାର ଥିଲା। ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ସରିଥିଲା। ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇସାରିଥିଲେ। ସେପଟେ ଗୋବିନ୍ଦ ଆବେଦନ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା। ଏକଦା ଏହି ମାମଲା ରାଜ୍ୟ ରାଜନୀତିରେ ହୁଲୁସ୍ଥୁଲୁ ପରିସ୍ଥିତି ସୃଷ୍ଟି କରିଥିଲା। ନେତା-ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା। ପୂର୍ବରୁ ଜାମିନ୍‌ରେ ଆସିଥିବା ଗୋବିନ୍ଦଙ୍କୁ ସ୍ଥାନୀୟ ମହାଲିଙ୍ଗ ରଥଯାତ୍ରାରେ ଦେଖିବାକୁ ମିଳିଥିଲା। ପୂର୍ବତନ ଜେଲ ଡିଆଜି ବଙ୍କିମ ମହାନ୍ତି କହିଛନ୍ତି, ଏହା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ସୁରକ୍ଷାରେ ଥିବା ତୃଟି ଯୋଗୁଁ ଘଟିଛି। କାରଣ ଜେଲ୍‌ରେ ଥିବା ସମସ୍ତ କଏଦୀଙ୍କ ପାଖେପାଖେ ଜଗିବାକୁ ୨୪ ଘଣ୍ଟା ଗାର୍ଡ ମୁତୟନ ଥାଆନ୍ତି। ଅନ୍ୟପଟେ ଜଣାପଡ଼ିଛି, କଣ୍ଟାବାଂଜୀ ଜେଲ୍‌ରେ ଥିବା ୭୧ ଜଣ କଏଦୀଙ୍କୁ ଭିଜରୁ ୬୭ ଜଣ ବିଚାରଧୀନ କଏଦୀ ଥିଲେ। ମାତ୍ର ୪ ଜଣ ଦୋଷୀ ସାବ୍ୟସ୍ତ କଏଦୀ ଥିଲେ। ଗୋବିନ୍ଦଙ୍କୁ ସ୍ୱତନ୍ତ୍ର ୱାର୍ଡରେ ନ ରଖି ଅନ୍ୟ କଏଦିଙ୍କ ଭିତରେ ରଖାଯାଇଥିଲା। ସେପଟେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ଏହି ଅଭିଯୋଗ କରିଛନ୍ତି। ଏହି ମାମଲାରେ ନାଁ ଆସିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ ଚିଟ୍ ଦେବାକୁ ଏହା ଷଡଯନ୍ତ୍ର। ତେଣୁ ମମିତା ମେହେର ହତ୍ୟା ମାମଲା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ପୁଲିସ ପୂର୍ବରୁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ଉଲ୍ଲେଖ ରହିଥିଲା। ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଗତବର୍ଷ ଅକ୍ଟୋବର ୮ତାରିଖରେ ମହାଲିଙ୍ଗ ସ୍କୁଲ ପଡିଆରେ ହତ୍ୟା କରାଯାଇଥିଲା। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ ହୋଇଥିଲା। ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା । ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା । ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ, ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହିବାରୁ ତାକୁ ଛାଡି ଦେଇଥିଲା ପୁଲିସ୍‌ । ଏପରିକି ଜେ.ସି.ବି ଡ୍ରାଇଭରକୁ ପୋଲିସ ସାକ୍ଷୀ କରିଥିଲା। ସେପଟେ ରାଧେ ଘରୁ ଗୋଟିଏ ବ୍ୟାଗ୍‌ ମିଳିଥିଲା। ସେହି ବ୍ୟାଗ୍‌ରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ମିଳିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତତ୍କାଳିନ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ।

Leave A Reply

Your email address will not be published.