ଅବକାରୀ କାର୍ଯ୍ୟାଳୟ ଭିତରେ ଯୁବକଙ୍କ ମୃତ୍ୟୁ

ଚୌଦ୍ୱାର : ଅବକାରୀ କାର୍ଯ୍ୟାଳୟ ଭିତରେ ଯୁବକଙ୍କ ମୃତ୍ୟୁ। ଚୌଦ୍ଵାର ଅବକାରୀ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୃତକ ଜଣକ ମହିସାଲଣ୍ଡା ଗ୍ରାମର ଶରତ  ପ୍ରଧାନ। ସେ ବେଆଇନ ଭାବେ ମଦ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ୮୦ଲିଟର ଦେଶୀ ମଦ ଜବତ କରିଥିଲା ଚୌଦ୍ଵାର ଅବକାରୀ କର୍ମଚାରୀ। ତାଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥାନ୍ତା। କିନ୍ତୁ ହଠାତ୍ ରାତିରେ ତାଙ୍କର ଶରୀର ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅବକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିବାରୁ ଶରତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡ଼ ଭାଇ ଭରତ ପ୍ରଧାନ। ତେବେ ଚୌଦ୍ଵାର ଅବକାରୀ ଅଧିକାରୀ ଦୁର୍ଯ୍ୟୋଧନ ଦିଗଲ, ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ହେଁ ଷ୍ଟାଫ୍‌ମାନଙ୍କ ଠାରୁ ଏନେଇ ସୂଚନା ପାଇଛନ୍ତି। ଗତାକଲି ପାଟ୍ରୋଲିଂ ବେଳେ ଶରତ ୮୦ ଲିଟର ମହୁଲୀ ମଦ ସହ ଧରାପଡ଼ିଥିଲେ। ତାଙ୍କୁ ଅବକାରୀ କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ବେଳେ ଜଣେ ଆଇନଜୀବୀ ପହଞ୍ଚି କେସ୍ କରାଯିବା ନେଇ ବିଭିନ୍ନ କଥା କହିଥିଲେ। ଯାହା ପରେ ଶରତଙ୍କ ଦେହ ଖରାପ ହୋଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲ॥ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କେହି ତାଙ୍କୁ ମାଡ଼ ମାରିନାହାନ୍ତି। ହୃଦଘାତ କିମ୍ବା ବିପି ବଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.