ବର୍ଷେ ହେଲା ବିନା ସଭାପତିରେ ଚାଲିଛି ଜିଲ୍ଲା ସଂଗଠନ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତିଙ୍କ ବିୟୋଗକୁ ଇତିମଧ୍ୟରେ ଏକ ବର୍ଷ ପୂରିବ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗ ପରେ ଜିଲ୍ଲା ରାଜନୀତିରେ ଅନେକ ପରିବର୍ତ୍ତନ ହୋଇ ସାରିଛି। ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବ୍ରଜରାଜନଗର  ଉପନିର୍ବାଚନରେ ବିପୁଳ ଭୋଟ ପାଇ ବିଧାୟିକା ହୋଇ ସାରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ବିୟୋଗ ପରେ ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ମଧ୍ୟ ବିଜେଡିର ଦବଦବା ରହିଛି। ମାତ୍ର ଜିଲ୍ଲା ବିଜେଡିରେ ସଭାପତି ପଦବି ପୂରଣ ହୋଇପାରିନାହିଁ। ସ୍ବର୍ଗତ ମହାନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ତେବେ ତାଙ୍କ ଅବର୍ତ୍ତମାନରେ ଜିଲ୍ଲା ବିଜେଡି ଦଳକୁ କିଏ ନେତୃତ୍ବ ଦେବ ତାହା ନିଷ୍ପତ୍ତି ନେବା ସେତେଟା ସହଜ ନୁହେଁ ଏହା ପ୍ରମାଣ ହୋଇଯାଇଛି। ଏକ ବର୍ଷ ହେଲା ବିନା ସଭାପତିରେ ଜିଲ୍ଲା ବିଜେଡି ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି, କାଉନସିଲର, ନଗରପାଳ, ଉପନଗରପାଳ ନିର୍ବାଚନ ସହିତ ବ୍ରଜରାଜନଗର ଉପନିର୍ବାଚନ ମଧ୍ୟ ସମ୍ପନ୍ନ ହୋଇସାରିଛି। ମାତ୍ର ସଭାପତି ଆସନରେ ଦଳ କାହାକୁ ଗାଦିସୀନ କରିବ ଦଳ ନିଷ୍ପତ୍ତି ନେଇ ପାରି ନାହିଁ। ନିର୍ବାଚନ ପରେ ଜିଲ୍ଲା ରାଜନୀତି ମଧ୍ୟ ଥଣ୍ଡା ପଡ଼ି ଯାଇଛି। ଏକଦା ବିଜୁବାବୁଙ୍କ ଆସ୍ଥା ଜିତିଥିବା ସ୍ବର୍ଗତ ମହାନ୍ତି ତାଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ହୋଇପାରିଥିଲେ। ବିଜେଡି ଗଠନ ହେବା ଠାରୁ ଜୀବନର ଶେଷ ପର୍ଯ୍ୟନ୍ତ ସେ ଦଳରେ ନିଜକୁ ନିବିଡ଼ ଭାବରେ ସାମିଲ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ବିଜେଡି ସଭାପତି ଭାବରେ ଦଳର ମଙ୍ଗ ସବୁବେଳେ ଧରି ରଖିଥିଲେ ସ୍ବର୍ଗତ ମହାନ୍ତି। ନବୀନଙ୍କ ଗୁଡ୍‌ବୁକ୍‌ରେ ଥିବାରୁ କିଶୋର ବିଧାନସଭାର ବାଚସ୍ପତି ପଦବିଠାରୁ ରାଜ୍ୟସଭା ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭଳି ଆସନ ଅଳଙ୍କୃତ କରି ପାରିଥିଲେ। ନିର୍ବାଚନରେ ପରାଜୟ ବରଣ ପରେ ମଧ୍ୟ ବିଜେଡି ତାଙ୍କୁ ବିଭିନ୍ନ ପଦବିରେ ରଖି ଦୀର୍ଘ ବର୍ଷ ଧରି କ୍ଷମତା ଓ ଦଳର ସାଂଗଠନିକ ଦାୟିତ୍ବ ଦେଇ ଆସୁଥିଲା। କିଶୋରଙ୍କ ବିୟୋଗ ପରେ ଦଳରେ ତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର ହୋଇପଡ଼ିଛି ବୋଲି ବହୁ ବିଜେଡି କର୍ମୀ କହୁଛନ୍ତି।

Leave A Reply

Your email address will not be published.