କରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ମୁକାବିଲା ପାଇଁ ବ୍ୟବସ୍ଥା ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଆତଙ୍କିତ ହୁଅନ୍ତୁ ନାହିଁ। ଆମ ରାଜ୍ୟରେ  bf.7  ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଚିହ୍ନଟ ହୋଇଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ। ଏନେଇ ଆଜି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି। ସେ ସୂଚନା ଦେଇଛନ୍ତି, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପାଜିଟିଭ ରେଟ ବଢ଼ିନାହିଁ। ହସ୍ପିଟାଲରେ ରୋଗୀ ଅଧିକ ମଧ୍ୟ ନାହିଁନ୍ତି। ଆଗକୁ ଯଦି ସଂକ୍ରମଣ ଆସେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ହୋଇ ଅଛୁ। ସର୍ଭେଲାନ୍ସକୁ ଜୋରଦାର କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ବେଡ଼ ମହଜୁଦ ରଖାଯାଇଛି। ଦରକାର ପଡ଼ିଲେ ବେଡ଼ ବଢାଯିବ। ରାଜ୍ୟରେ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି। କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ। ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ। ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢେ ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ।

Leave A Reply

Your email address will not be published.