ଶାବକକୁ ଖଣ୍ଡଖଣ୍ଡ କରି ଫିଙ୍ଗିଦେଲା ମା’ ହାତୀ

ତେଲକୋଇ : ଏକ ମା ହାତୀ ତା’ ମୃତ ଶାବକକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଛାମୁଣ୍ଡା ଓ ଲୋକନାଥପୁର ଗାଁ ମଝିରେ ଥିବା ବାଉଁଶଜୋରି ନାଳ ନିକଟ ଗଲମୁଣ୍ଡା ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ କେଉଁଥି ପାଇଁ ମା’ ହାତୀଟି ଏପରି ଆଚରଣ ଦେଖାଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ଘଟଣାଟି ଗତ ୨୧ ତାରିଖରେ ଘଟିଥିବା ବେଳେ ଆଜି ଏସମ୍ପର୍କରେ ଜଣାପଡ଼ିଛି। ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି, ଗତ ୨୧ ତାରିଖରେ ଛାମୁଣ୍ଡା ସାହି ପାଖରେ ମୃତଦେହ ପରି ଦେଖାଯାଉଥିବା ଜିନିଷକୁ ଏକ ମାଈ ହାତୀ ଗୋଇଠା ମାରୁଥିବା ଓ ଟେକି କଚାଡୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ ଦେଖି ମା ହାତୀ ମୃତଦେହକୁ ଧରି ଗେଲମୁଣ୍ଡା ଜଙ୍ଗଲକୁ ପଶିଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ସ୍ଥାନୀୟ ପୁଲିସ ପହଞ୍ଚି ଥିଲେ। ହାତୀକୁ ନିରୀକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ ବ୍ୟବହାର କରାଯାଇଥିଲା। କିନ୍ତୁ ମୃତଦେହ ପରି ଦେଖାଯାଉଥିବା ବସ୍ତୁକୁ ଠାବ କରାଯାଇ ପାରିନଥିଲା। ୮ ଘଣ୍ଟା ପରେ ହାତୀଟି ଜଙ୍ଗଲରୁ ଅନ୍ୟ ସ୍ଥାନକୁ ଚାଲିଯିବା ପରେ ଜଙ୍ଗଲ ସାରା ଛୋଟ ଛୋଟ ମାଂସ ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ବର ଗଛ ମୂଳରେ ହାତୀଟି ପ୍ରସବ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମାଂସ ଖଣ୍ଡ ଗୁଡିକୁ ସଂଗ୍ରହ କରି ବନବିଭାଗ ଫରେନସିକ ଲ୍ୟାବକୁ ପଠାଇଥିଲା। ଏହା ଏକ ହାତୀ ଛୁଆ, ଯାହା ସମୟ ପୂର୍ବରୁ ଜନ୍ମ ହୋଇଥିଲା ବୋଲି ପରୀକ୍ଷାରୁ ଜଣାପଡିଛି।

Leave A Reply

Your email address will not be published.