ତୁଟୁନି ପୌରପାଳିକା ଅଧ୍ୟକ୍ଷ- ପିଡି ଡିଆରଡିଏ କଳି, ଆଜି ନବରଙ୍ଗପୁର ବନ୍ଦ

ନବରଙ୍ଗପୁର : ତେଜିଲା ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଓ ପିଡି ଡିଆରଡିଏ କଳି। ଏହି ମାମଲା ସମାଧାନ ହେବା ନାଁ ଧରୁ ନ ଥିବାରୁ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ  ସନ୍ଧ୍ୟା  ୬ଟା ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୧ ତାରିଖରେ ହକି ବିଶ୍ୱକପ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଚାଲିଥିବା ସମୟରେ  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ  ଶ୍ରୀମତୀ ଅନ୍ୟା ଦାସ  ଜିଲ୍ଲାପାଳଙ୍କ ନିକଟରେ ଛିଡ଼ା ହୋଇଥିବା ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକଙ୍କୁ  ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଶ୍ରୀମତୀ ଦାସ  ପୌରପାଳିକା ଅଧ୍ୟକ୍ଷଙ୍କୁ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ବିଜେପି ଦାବି କରିଥିବା ବେଳେ ଏହା କରିବାକୁ କିନ୍ତୁ ପିଡି ଡିଆରଡିଏ ସଫା ସଫା ମନା କରି ଦେଇଥିଲେ।  ଏହା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି। ଆଜି ସକାଳୁ ନବରଙ୍ଗପୁରସ୍ଥିତ ମାଝୀଗୁଡା ଛକ ଓ ଚାଉଁରିଆଗୁଡା ଛକଠାରେ ବିଜେପି ଦଳର କର୍ମକର୍ତ୍ତା ପହଞ୍ଚି ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି।  ଅନ୍ୟପଟେ ଏହି ବନ୍ଦକୁ ବଣିକ ସଂଘ ଓ ମୋଟର କର୍ମଚାରୀ ସଂଘ ସମର୍ଥନ କରି ଯାନବାହାନ ବନ୍ଦ ରଖିଛନ୍ତି। ଫଳରେ ନବରଙ୍ଗପୁର ସହରରୁ ଅନ୍ୟ ଗନ୍ତବ୍ୟ ସ୍ଥଳ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଜରୁରୀକାଳୀନ ସେବାକୁ ବନ୍ଦ ପାଳନ ସମୟରେ ଅନ୍ତର୍ଭୁକ୍ତ କରାଯାଇନଥିବା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଏହି ଘଟଣା ପ୍ରତିବାଦରେ ଗତକାଲି ଜିଲ୍ଲା ବିଜେପି ନବରଙ୍ଗପୁରସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ମାତ୍ର ସନ୍ଧ୍ୟା ସୁଦ୍ଧା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମା ମାଗି ନଥିବାରୁ ସନ୍ଧ୍ୟାରେ NH 26 କୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ନବରଙ୍ଗପୁରରୁ କୋରାପୁଟ ଜିଲ୍ଲା ସହ ପୋଡ଼ସୀ କଳାହାଣ୍ଡି ଜିଲ୍ଲା ଓ ଛତିଶଗଡ ରାଜ୍ୟ କୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ନବରଙ୍ଗପୁର ପୁଲିସ ଆନ୍ଦୋଳନକାରି ବିଜେପି କର୍ମୀ ମାନଙ୍କୁ ଜୋରଜବରଦସ୍ତ ପୁଲିସ ଗାଡ଼ିରେ ଉଠାଇ ଆଣି ଥାନାରେ ଅଟକ ରଖି ରାତିରେ ସେମାନଙ୍କୁ ଛାଡିଥିଲା । ଯାହାକୁ ନେଇ ପ୍ରତିବାଦ ସ୍ୱରୂପ ଆଜି ନବରଙ୍ଗପୁର ସହର ବନ୍ଦ କରିଛି ଜିଲ୍ଲା ବିଜେପି ।

Leave A Reply

Your email address will not be published.