ମହାନଦୀ ବିବାଦ: ୧୬ରେ ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଟିମ୍ ସହ ବୈଠକ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ସହ ପୁଣିଥରେ କ୍ଷମତାସମ୍ପନ୍ନ କମିଟିକୁ ବୈଠକ କରିବା ନିମନ୍ତେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆସନ୍ତା ୧୬ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବୈଷୟିକ ଟିମ୍ ସହ ତାଙ୍କ ଦ୍ୱାରା ନିଯୁକ୍ତି କ୍ଷମତାସମ୍ପନ୍ନ କମିିଟିକୁ ଆଲୋଚନା କରିବାକୁ କହିବା ସହ ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୮ ତାରିଖରେ ଧାର୍ଯ୍ୟ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଟ୍ରିବ୍ୟୁନାଲ ୨୦୨୨ ଅକ୍ଟୋବର ୨୮ତାରିଖରେ ଓଡ଼ିଶା ଓ ଛତଶଗଡ଼ ସରକାରଙ୍କ ବୈଷୟିକ ଟିମ ଉପସ୍ଥାପନ କରିଥିବା ତଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ତେବେ ଇତିମଧ୍ୟରେ ଟ୍ରିବ୍ୟୁନାଲ ଅନେକ ଥର ଶୁଣାଣି କରିବା ପରେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରୁନି । ମହାନଦୀର ଜଳସ୍ତରକୁ ଦୃଷ୍ଟିରେ ରଖି ଦୁଇ ରାଜ୍ୟ ମଧ୍ୟରେ ଜଳ ବାଂଟିବାର ଫର୍ମୂଲାକୁ ଏବେ ଟ୍ରିବ୍ୟୁନାଲ ଅନ୍ୱେଷଣ କରୁଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ମହାନଦୀରେ ଜଳସ୍ତର ହ୍ରାସ ପାଇବା ଓ ତଳମୁଣ୍ଡରେ ନଦୀ ଶୁଖିଲା ପଡ଼ିବାରୁ ଓଡ଼ିଶା ସରକାର ୨୦୧୬ ନଭେମ୍ବର ୧୯ତାରିଖରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟରେ ଏକ ଅଭିଯୋଗ ଦାଖଲ କରିଥିଲେ । ଏହାସହିତ କେନ୍ଦ୍ର ସରକାର ଦୁଇ ରାଜ୍ୟ ମଧ୍ୟରେ ସହମତି ଆଣିବାରେ ବିଫଳ ହେବା ପରେ ମହାନଦୀ ଜଳକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ସମାଧାନ ପାଇଁ ୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ ।

Leave A Reply

Your email address will not be published.