କଲବଲ କରୁଛି କୁହୁଡ଼ି : ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ହାଡ଼ବଙ୍ଗା ଜାଡ ପରେ ଏବେ କଲବଲ କରୁଛି କୁହୁଡ଼ି। ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଯୋଗୁଁ ଆଗାମୀ ୩ ଦିନ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଉପକୂଳ ସମେତ ଉପାନ୍ତ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡି ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।ତେଣୁ କୁହୁଡ଼ି ଜନିତ ଦୁର୍ଘଟଣା ଏଡାଇବା ପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନକୁହୁଡ଼ିର ସମ୍ଭାବନା ରହିଛି । ଏପଟେ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ରହିଛି । ସେହିଭଳି ସେମିଳିଗୁଡ଼ାରେ ୬.୪, ଫୁଲବାଣୀରେ ୭, କୋରାପୁଟରେ ୭.୫, ରାଉରକେଲାରେ ୭.୮ ଡିଗ୍ରୀ ତାପମାତ୍ରା ରହିଛି ।

Leave A Reply

Your email address will not be published.