ନିର୍ବନ୍ଧ ସାରି ଫେରୁଥିଲେ, ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

କଣ୍ଟାବାଞ୍ଜି : ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍‌ଅପ୍‌ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା। ବାଟରେ ପିକ୍ଅପ୍‌ ଭ୍ୟାନ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବୁଢ଼ୀପଦର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁଢ଼ୀପଦର ଗାଁର ଗମ୍ଭୀର ଚଣ୍ଡୀ। ଆହତ ୫ଜଣଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୁଢ଼ୀପଦର ଗାଁର ଜଣେ ବ୍ୟକ୍ତିଙ୍କ ପୁଅର ବିବାହ ସିଲେଟପଡ଼ା ଗାଁରେ ଠିକ୍ ହୋଇଥିଲା। ଗତକାଲି ନିର୍ବନ୍ଧ ଥିଲା। ଏଥିପାଇଁ ଗ୍ରାମବାସୀ ଓ ସମ୍ପର୍କୀୟମାନେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ସିଲେଟପଡ଼ା ଯାଇଥିଲେ। ସିଲେଟପଡ଼ାରୁ ନିର୍ବନ୍ଧ ସାରି ଘରକୁ ଫେରୁଥିବା ବେଳେ ବୁଢ଼ୀପଦର ଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପିକ୍‌ଅପ୍‌ ଭ୍ୟାନରେ ଡ୍ରାଇଭରକୁ ମିଶାଇ ୨୦ରୁ ଅଧିକ ଲୋକ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.