ରାଜ୍ୟରେ ଆରମ୍ଭ ହେବ ସରୋଗାସି, ଆବେଦନ କଲେ ୩ ସଂସ୍ଥା

ଭୁବନେଶ୍ବର : ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଆଗକୁ ଓଡ଼ିଶାରେ ଏହି ସୁବିଧା ମିଳିବ। ରାଜ୍ୟରେ ଖୁବ୍ ଶୀଘ୍ର ସରୋଗାସି(ଭଡ଼ାରେ ଗର୍ଭଧାରଣ) ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୩ଟି ସଂସ୍ଥା ଆବେଦନ କରିଛନ୍ତି। ଗତବର୍ଷ ଜୁନ୍‌ ମାସରେ ରାଜ୍ୟ ସରକାର ଷ୍ଟେଟ୍‌ ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ଏଣ୍ଡ ସରୋଗାସି ବୋର୍ଡ ଗଠନ କରିଥିଲେ। ଏହାପରେ ରାଜ୍ୟରେ ଉଭୟ ସରୋଗାସି ଓ ଆଇଭିଏଫ୍‌ ଖୋଲିବା ନେଇ ଆବେଦନପତ୍ର ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଭିଏଫ୍‌ ଓ ସରୋଗାସି କେନ୍ଦ୍ର ଖୋଲିବା ପାଇଁ ସଂସ୍ଥାମାନଙ୍କୁ କେନ୍ଦ୍ର ସରକାରଙ୍କୁ ଅନ୍‌ଲାଇନ୍‌ରେ ଏଆରଟି(ଆର୍ଟିଫିସିଆଲ ଇନ୍‌ସେମିନେସନ୍‌) ରେଜିଷ୍ଟ୍ରିରେ ଆବେଦନ କରିବାକୁ ପଡ଼ିଥାଏ। ପରବର୍ତୀ ସମୟରେ ରାଜ୍ୟ ଅନୁସାରେ ଆବେଦନପତ୍ରକୁ ସେହି ରାଜ୍ୟକୁ ପଠାଯାଉଛି। ଓଡ଼ିଶାରେ ଏଆରଟି ଓ ସରୋଗାସି କେନ୍ଦ୍ର ଖୋଲିବା ପାଇଁ ୪୭ଟି ଆବେଦନପତ୍ର ଆସିଛି। ଏଥିରେ ଏଆରଟି କେନ୍ଦ୍ର ପାଇଁ ୩୫ଟି, ସରୋଗାସି ପାଇଁ ୭ ଓ ଏଆରଟି ବ୍ୟାଙ୍କ ପାଇଁ ୫ଟି ଆବେଦନ ହୋଇଛି। ତହିଁରୁ ୧୬ଟି ଆବେଦନର କାଗଜପତ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ଆବେଦନ କରିଥିବା ୩୫ଟି ଏଆରଟି ମଧ୍ୟରୁ ୧୨ଟି ସଂସ୍ଥାକୁ ଅନୁମୋଦନ ଦିଆଯାଇଛି। ରାଜ୍ୟରେ ପୂର୍ବରୁ କାର୍ଯ୍ୟ କରୁଥିବା ଏଆରଟିଗୁଡ଼ିକ ପିସି ଏଣ୍ଡ ପିଏନ୍‌ଡିଟି ଆଇନ ଅଧୀନରେ ରହିଥିଲେ। ମାତ୍ର ଏବେ ବୋର୍ଡ ଗଠନ ପରେ ସେମାନଙ୍କୁ ନୂତନ ଆଇନରେ ଅନୁମୋଦନ ଦିଆଯାଇଛି। ସେହିଭଳି ସରୋଗାସି ଓ ଏଆରଟି ବ୍ୟାଙ୍କ୍ ପାଇଁ ଆବେଦନ କରିଥିବା ସଂସ୍ଥାର କାଗଜପତ୍ର ଠିକ୍ ଥିଲେ ସରକାରୀ ଅନୁମୋଦନ ମିଳିବ।

Leave A Reply

Your email address will not be published.