କଟକ : ‘ପ୍ରଥମ ଓଡ଼ିଶା’ ପକ୍ଷରୁ ଦେଶ ତଥା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ କରାଯାଇଥିବା ସର୍ଭେ ‘ଅସର୍-୨୦୨୨’ର ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟରେ କୋଭିଡ୍ ପୂର୍ବ ଓ ପରର ତୁଳନା କରାଯାଇ ରାଜ୍ୟ ଓ ଦେଶରେ କୋଭିଡ୍ ସତ୍ତ୍ବେ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଏହି ସଂଖ୍ୟା ଅଧିକ ରହିଛି। ତେବେ, ପ୍ରାଥମିକ ଶିକ୍ଷାରେ ଦେଶର କେତେକ ରାଜ୍ୟର ୫ମ ଶ୍ରେଣୀ ଶିକ୍ଷାସ୍ତରରେ ଅବନତି ଘଟିଥିବା ପ୍ରଥମ ଓଡ଼ିଶା ପକ୍ଷରୁ ଦର୍ଶାଯାଇଛି। ତଥ୍ୟ ମୁତାବକ, ଦେଶରେ ୬ରୁ ୧୪ ବର୍ଷ ବୟସ ବିଭାଗରେ ୨୦୧୮ ମସିହାରେ ନାମାଙ୍କନ ୯୭.୨ ଶତକଡ଼ା ଥିବା ବେଳେ କୋଭିଡ୍ ସତ୍ତ୍ବେ ୨୦୨୨ରେ ଏହା ବଢ଼ି ଶତକଡ଼ା ୯୮.୪ ରେ ପହଞ୍ଚିଛି। ଓଡ଼ିଶାରେ ଏହି ବୟସରେ ୨୦୧୮ ମସିହାରେ ନାମାଙ୍କନ ୯୮.୫ ଥିଲା ଯାହା ବଢ଼ି ୨୦୨୨ରେ ୯୯.୩ ଭାଗରେ ପହଞ୍ଚିଛି। ସେହିପରି, ସରକାରୀ ବିଦ୍ୟାଳୟରେ ଏହି ବୟସ ବିଭାଗରେ ନାମାଙ୍କନ ୨୦୧୮ ମସିହାରେ ୬୫.୬ ଭାଗ ଥିବାବେଳେ ୨୦୨୨ରେ ବୃଦ୍ଧି ପାଇ ୭୨.୯ରେ ପହଞ୍ଚିଛି। ଓଡ଼ିଶାରେ ୨୦୧୮ ମସିହାରେ ନାମାଙ୍କନ ୮୮.୦ ଶତକଡ଼ା ଥିଲା ଯାହା ୨୦୨୨ ମସିହାରେ ବୃଦ୍ଧି ପାଇ ୯୨.୧ ରେ ପହଞ୍ଚିଛି। ଓଡ଼ିଶାରେ ବିଦ୍ୟାଳୟରେ ନାମ ନଥିବା ୧୧ରୁ ୧୪ ବର୍ଷ ବୟସର ଓ ୧୫-୧୬ ବୟସର ଝିଅଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି। ସମଗ୍ର ଗ୍ରାମୀଣ ଭାରତରେ, ୩ ବର୍ଷ ବୟସରେ ନାମାଙ୍କନର ଅନୁପାତ ୨୦୨୨ ମସିହାରେ ୭୮.୩ ଶତକଡ଼ାରେ ପହଞ୍ଚିଛି, ଯାହା ୨୦୧୮ ତୁଳନାରେ ୭.୧ ଶତକଡ଼ା ବୃଦ୍ଧି ପାଇଛି। ଅପରପକ୍ଷେ, ଓଡ଼ିଶାରେ ୨୦୨୨ ମସିହାରେ ୩ ବର୍ଷ ବୟସର ପିଲା ଶତକଡ଼ା ୯୪.୪ ଭାଗ ଅଙ୍ଗନବାଡ଼ି କେନ୍ଦ୍ରରେ ନାମାଙ୍କିତ ହୋଇଛନ୍ତି। ୨୦୧୮ରେ ଏହା ଶତକଡ଼ା ୯୦.୩ ଭାଗ ଥିଲା।