ଗଜରାଜଙ୍କ ୬ ଘଣ୍ଟା ଆତଙ୍କ: ଘର ଭାଙ୍ଗିଲେ, ପନିପରିବା ନଷ୍ଟ କଲେ, ବନ ବିଭାଗ ଟିମ୍ ସହ ମୁହାଁମୁହିଁ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ମୋଟାବାଡ଼ି ପଞ୍ଚାୟତ ଅଧୀନ ଝାଟିକାବାଡ଼ି ଗ୍ରାମରେ ଗତକାଲି ରାତିରେ ଗୋଟିଏ ଦନ୍ତା ସମେତ ୩ଟିକିଆ ହାତୀପଲ ପଶି ୬ ଘଣ୍ଟା କାଳ ଆତଙ୍କ ଖେଳାଇଛନ୍ତି। ଗୋଟିଏ କଚ୍ଚାଘରକୁ ଭାଙ୍ଗିଦେବା ସହ ବ୍ୟାପକ ପରିମାଣର ପନିପରିବା, ଧାନ ଓ କାନ୍ଦୁଲ ଖାଇ ନଷ୍ଟ କରିପକାଇଛନ୍ତି। ଗତ କିଛିଦିନ ହେଲା ଗ୍ରାମ ନିକଟରେ ହାତୀପଲଙ୍କ ଗତିବିଧି ଜାରି ରହିଥିଲା। ହାତୀପଲ ଗତକାଲି ଗାଁ ମୁହାଁ ହୋଇଥିବାରୁ ‌ଏନେଇ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଥିଲା। ଏହାସହ ହାତୀଙ୍କ ସୁରକ୍ଷାକୁ ନଜର‌ରେ ରଖି ବିଦ୍ୟୁତ୍ ସରବରାହକୁ ବିଚ୍ଛିନ୍ନ କରାଯାଇଥିଲା। ତେବେ ରାତି ପ୍ରାୟ ୧୧ଟା ବେଳେ ୩ଟି ହାତୀ ଗାଁ ଭିତରେ ପଶିଥିଲେ। ତାଟିକବାଟ ପକାଇ ଘର ଭିତରେ ଲୋକଙ୍କ ଭିତରେ ଛନକା ପଶିଯାଇଥିଲା। ଆଉ କୁଡ଼ିଆରେ ରହୁଥିବା କିଛି ଲୋକ ଜୀବନ ବଞ୍ଚାଇବାକୁ ପଡ଼ୋଶୀଙ୍କ ଛାତଘର ଉପରକୁ ଦୌଡ଼ି ପଳାଇଥିଲେ। ଫରେଷ୍ଟର୍ ସୁକାନ୍ତ କୁମାର ପଟ୍ଟନାୟକ ସଦଳବଳେ ଗାଁକୁ ଆସିଥିଲେ। ହାତୀପଲ ସହ ମୁହାଁମୁହିଁ ହୋଇଥିଲେ ହେଁ ସେଠାରୁ ଘଉଡ଼ାଇବାକୁ ସାହସ ଜୁଟାଇ ନପାରି କର୍ମଚାରୀମାନେ ମଧ୍ୟ ଛାତ ଉପରକୁ ପଳାଇଥିଲେ। ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗ୍ରାମବାସୀ ହାତୀପଲଙ୍କୁ ନିଆଁହୁଳା ଦେଖାଇ ହୋହଲ୍ଲା କରିଥିଲେ। ତେବେ ହାତୀପଲ ଧାନ ଓ କାନ୍ଦୁଲ ସରିବା ପର୍ଯ୍ୟନ୍ତ ଖାଇଚାଲିଥିଲେ। ଏଭଳି ଭାବେ ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ହାତୀପଲ ଗାଁ ଭିତରେ ନିର୍ଭୟ‌ରେ ‌ଏଣେତେଣେ ବୁଲୁଥିଲେ।

Leave A Reply

Your email address will not be published.