ବୁଢ଼ୀ ମା’ର ଇଚ୍ଛା ପୂରଣ କଲା ପୁଅ, ବାହୁଙ୍ଗିରେ ବୋହି ଆଣି କରାଇଲା ଜଗା ଦର୍ଶନ

ପୁରୀ : ଏହି କଳିଯୁଗରେ ଧନ ଲାଳସାରେ ଅନେକ ପୁତ୍ର ନିଜ ବାପା, ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସନ୍ତି। କିଛି ଘରେ ବୃଦ୍ଧ ଲୋକଙ୍କ ଉପରେ ଅତ୍ୟାଚାର କରାଯାଏ। କିନ୍ତୁ ଏହି ପିଢ଼ିର ଜଣେ ବ୍ୟକ୍ତି ଏମିତି ବି ଅଛନ୍ତି, ଯିଏ ନିଜ ମାଆଙ୍କର ଶେଷ ଇଛା ପୂରଣ କରି ଆଜି ସମସ୍ତଙ୍କ ଦ୍ରୁଷ୍ଟିର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ବାହୁଙ୍ଗିରେ ବୋହି ଆଣି କରାଇଛି ଜଗା ଦର୍ଶନ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦେଖିବାକୁ ମିଳିଛି ଏଭଳି କିଛି ଭାବ ବିହ୍ୱଳ ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ଶାରଦା ବେହେରା। ଜୀବନର ଅପରାହ୍ନରେ ଗତି କରୁଥିବାବେଳେ ହାତ ଗୋଡ ସବୁ ପଡିଗଲାଣି। କେତେବେଳେ ଯେ ଯମ ଡାକିନବ କହି ହେବନି। ହେଲେ ମନରେ ଇଚ୍ଛା ଥିଲା ଶେଷଥର ଟିକେ ଜଗାକୁ ଦର୍ଶନ କରିବେ ବୋଲି। ମା’ର ଏହି ଶେଷ ଇଚ୍ଛାକୁ ପୂରଣ କରିଛନ୍ତି ପୁଅ ଅଶୋକ ବେହେରା। ବୋଝରେ ବୋହି ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମାର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରୁଥିବା କହିଛନ୍ତି। ଶାରଦାଙ୍କ ମହାପ୍ରଭୁଙ୍କୁ ଦେଖିବା ପାଇଁ ନିଜ ପୁଅ ଅଶୋକଙ୍କୁ କିଛି ଦିନ ହେବ କହି ଆସୁଥିଲେ। ତେବେ କାଳିଆର ଡୋରି ତାଙ୍କୁ ଶେଷରେ ପୁରୀ ଟାଣି ଆଣିଥିଲା। ସବୁ କଷ୍ଟ ଭୁଲି ମା ଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ। ସେଠାରେ ଥିବା ଶ୍ରୀମନ୍ଦିର ସୁବେଦାର ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ବାଇଁ ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମା’ଙ୍କୁ ସିଂହଦ୍ଵାର ପାଖକୁ ନେଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀ ମାନେ ବୃଦ୍ଧା ମା ଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ତେବେ ଜଗା ଦର୍ଶନ କରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି ଶାରଦା କହିଥିଲେ। ତେବେ ଶାରଦାଙ୍କୁ ତାଙ୍କ ପୁଅ ଏଭଳି ବୋଝରେ ବୋହି ଆଣୁଥିବା ବେଳେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ମାନେ ଶ୍ରବଣ କୁମାରଙ୍କ କଥା ମନେ ପକାଇଥିଲେ।

Leave A Reply

Your email address will not be published.