ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର, ୬ ଜଣ ଆଶାୟୀ ନାଁରେ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରକୁ ଲମ୍ବିଛି ଫେକ ସାର୍ଟିଫିକେଟ ଚେର। ୬ ଜଣ ଚାକିରି ଆଶାୟୀଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ଡାକ ବିଭାଗ । ଏନେଇ ଜଣଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ହେଲେ ଏମିତି ୬ଜଣ ବିଭିନ୍ନ ଜିଲ୍ଲାରୁ ଆବେଦନ କରିଛନ୍ତି ଯେଉଁମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି। ସେଠାରେ ସେମାନଙ୍କ ସାର୍ଟିଫିକେଟରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଛି। ଯାହା ସନ୍ଦେହ ହେବାରୁ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ଟାଉନ ଥାନାରେ ଏତଲା ହୋଇଛି। ସେପଟେ ବଲାଙ୍ଗିର ଜାଲର ସାର୍ଟିଫିକେଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ସମ୍ପତ୍ତି ଜବତ କରିଛି କ୍ରାଇମବ୍ରାଞ୍ଚ । ପ୍ରାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଚାରିଟି ମୂଲ୍ୟବାନ ଜମି ଓ ୧୭ ଲକ୍ଷ ଟଙ୍କା ଏହା ସହିତ ମନୋଜ ଓ ତା ସ୍ତ୍ରୀ ସନ୍ତୋଷିନୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଛି। ଆଉ କେଉଁଠି କଳା ଟଙ୍କା ଲାଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ I ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ଆଣି ନକଲି ସାର୍ଟିଫିକେଟର ଅସଲ ତଥ୍ୟ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ । ୪ ଜଣ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ତେବେ ପୁଣି ଥରେ ରିମାଣ୍ଡରେ ନେବ କି ନାହିଁ ତାହା ଜଣାପଡ଼ିନି। ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ବଲାଙ୍ଗିର ପୋଲିସ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଡାକ ବିଭାଗରେ ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି ଆବେଦନ କରିବା ପରେ ଘଟଣା ପଦାକୁ ଆସିଥିଲା ।

Leave A Reply

Your email address will not be published.