ଆଜିଠୁ ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ପରୀକ୍ଷା ଖାତାଦେଖା : ମେ’ ସୁଦ୍ଧା ପରୀକ୍ଷା ଫଳ ବାହାରିବା ଉପରେ ଗୁରୁତ୍ୱ

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହେବେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ମୂଲ୍ୟାୟନ ହେବ । ଏଥିରେ ପ୍ରାୟ ୩ ହଜାର ଓ ଅଫଲାଇନରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ । ବିଜ୍ଞାନ ଓ ଗଣିତ ବିଭାଗର ବିଷୟଗୁଡିକର ଇ-ମୂଲ୍ୟାୟନ ଲାଗି ୩୯ଟି କେନ୍ଦ୍ର କରାଯାଇଛି । ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦମୂଳକ ବିଷୟଗୁଡିକରେ ୬୫ଟି କେନ୍ଦ୍ର ହୋଇଛି । ଅନଲାଇନ୍ ମୂଲ୍ୟାୟନ ଚଳିତମାସ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଅଫଲାଇନ ମୂଲ୍ୟାୟନ ୨୧ ଯାଏ ଚାଲିବ ।ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଇତିହାସ, ଅର୍ଥନୀତି, ଆଇଟି, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ, ଭୂଗୋଳ, ପରିସଂଖ୍ୟାନ ପରି ୧୭ଟି ବିଷୟ, ବିଜ୍ଞାନ ବିଭାଗର ଇଂରାଜୀ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ଆଇଟି, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ପରି ୧୮ଟି ବିଷୟ ଓ ବାଣିଜ୍ୟ ବିଭାଗର ଇଂରାଜୀ, ଓଡ଼ିଆ, ଏଇ, ବିଏମ୍‌ଏସ୍‌, ସିଏସି, ଏଫ୍‌ଏମ୍‌ଏ, ସିଏ, ବିଏସ୍‌ଇ ପରି ୧୪ଟି ବିଷୟର ମୂଲ୍ୟାୟନ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମେ ୫ ମଧ୍ୟରେ ଅନଲାଇନ୍ ଓ ଏପ୍ରିଲ ୨୩ରୁ ମେ ୪ ମଧ୍ୟରେ ଅଫଲାଇନ୍ ଖାତା ଦେଖାହେବ । ଏହି ପର୍ଯ୍ୟାୟରେ  କଳା ବିଭାଗର ଇଂରାଜୀ, ‌ଓଡ଼ିଆ, ଗଣିତ, ରାଜନୀତି ବିଜ୍ଞାନ, ଶିକ୍ଷା, ଗୃହ ବିଜ୍ଞାନ ପରି ୨୭ଟି ବିଷୟ, ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ ପରି ୨୪ଟି ବିଷୟ, ବାଣିଜ୍ୟର ୧୮ ଓ ଧନ୍ଦାମୂଳକ ବିଭାଗର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରାଯିବ । ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.