ପିଆଜ କେଜି ୪ ଟଙ୍କା, ମୁଣ୍ଡରେ ହାତ ଦେଲେଣି ଟିଟିଲାଗଡ଼ ଚାଷୀ

ଟିଟିଲାଗଡ଼ : ପିଆଜ କେଜି ୪ ଟଙ୍କା। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଚାଷୀ ଏବେ ସାହୁକାର ଓ ଦଲାଲଙ୍କୁ ବାଧ୍ୟବାଧ୍ୟକତା ଭିତରେ ଏହି ଦାମ୍‌ରେ ପିଆଜ ବିକ୍ରି କରୁଛନ୍ତି। ପ୍ରଚୁର ପରିମାଣରେ ପିଆଜ ଅମଳ ହେବା ଓ ଏହାକୁ ସଂରକ୍ଷଣ କରିବା ନିମନ୍ତେ ଟିଟିଲାଗଡ଼ରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ସିନ୍ଦେକେଲାର ଚାଷୀ ଅନିରୁଦ୍ଧ ସାହୁ କହିଛନ୍ତି, ଟିଟିଲାଗଡ଼ରେ ପ୍ରତିବର୍ଷ ଉକୃଷ୍ଟମାନର ପିଆଜ ଅମଳ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଫସଲ ଭଲ ହୋଇଛି। ଏହି ପିଆଜର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ତେବେ ଅମଳ ହେବା ମାତ୍ରେ ପିଆଜ ବିକ୍ରି କରିବା ଛଡ଼ା ଚାଷୀଙ୍କ ପାଖରେ ଅନ୍ୟବାଟ ନାହିଁ। ଚାଷୀ ନିରୁପାୟ। ପିଆଜ ସାଇତି ରଖିବା ପାଇଁ ଏଠାରେ ଚାଷୀଙ୍କ ନିମନ୍ତେ ଶୀତଳଭଣ୍ଡାର କିମ୍ବା ଗୋଦାମ ଘର ନାହିଁ। ଖୁବ୍ କମ୍ ଦାମରେ ସାହୁକାର ଓ ବାହାର ରାଜ୍ୟର ଦଲାଲଙ୍କୁ ଅମଳ ପିଆଜ ଦେଇଥାନ୍ତି। ୨ ମାସ ପରେ ସାଧାରଣ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଅଧିକ ଦରରେ କିଣୁଛନ୍ତି। ଦୁଇମାସ ପରେ ପିଆଜ ଦାମ ୪ ଗୁଣା ବଢ଼ି ଯାଇଛି। ହେଲେ ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଜରିଆରେ ପିଆଜରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇପାରନ୍ତା। ହେଲେ ଚାଷୀଙ୍କୁ ଏବାଦରେ ଟ୍ରେନିଂ କିମ୍ବା ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନି।

Umasankar Adv
Leave A Reply

Your email address will not be published.