୨୨ରେ ଫେରିବେ ରାଜ୍ୟପାଳ, ବିଳମ୍ବ ହୋଇପାରେ ମନ୍ତ୍ରୀଙ୍କ ଶପଥ ଉତ୍ସବ

ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇଜଣ ବିବାଦୀୟ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ଓ  ଦିନେ-ଦୁଇଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ମାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ଅର୍ଥାତ୍ ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ନିଜ ଗୃହ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ, ନିଯୁକ୍ତି ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଆଜି ସକାଳେ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଭୟ ନିଜ ନିଜର ଇସ୍ତଫା ପତ୍ର ଅପରାହ୍ନ ୨ଟା ସୁଦ୍ଧା ପଠାଇଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କ ବିବାଦୀୟ ଭୂମିକା ଏବଂ ଜଣେ ବିଜେଡି ନେତ୍ରୀଙ୍କ ଦ୍ୱାରା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଆସିଥିବାରୁ ଉଭୟଙ୍କୁ ମନ୍ତ୍ରୀପଦରୁ ବାଦ୍ ଦିଆଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ସରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ଆଗରୁ ହେଉଥିଲା । ପୂର୍ବରୁ ନବ ଦାସଙ୍କ ହତ୍ୟା ଯୋଗୁ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଖାଲି ରହିଥିବାବେଳେ ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ହୋଇଛି ।

Leave A Reply

Your email address will not be published.