ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ବିଛାଡ଼ି ହୋଇ ପଡ଼ିଛି ବଙ୍ଗଳା ପ୍ରେମ କବିତା ଓ ‘ସ୍କେଚ୍‌’ ଥିବା କାଗଜ

କୋଲ୍‌କାତା: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗାଠାରେ ଘଟିଥିବା ରେଳଦୁର୍ଘଟଣାସ୍ଥଳରେ ବଙ୍ଗଳା ଭାଷାରେ ଲିଖିତ ଅସମାପ୍ତ ପ୍ରେମ କବିତା ଓ କେତେକ ‘ସ୍କେଚ୍‌’ (ଅସମାପ୍ତ ଚିତ୍ର) ଥିବା କାଗଜ ବିଛାଡ଼ି ହୋଇ ପଡ଼ିଥିବା କଥା ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି। କୌଣସି ଡାଏରିରୁ ଚିରା ହୋଇଥିବା କାଗଜରେ ଲିଖିତ ଏହି ପ୍ରେମ କବିତା ଓ ‘ସ୍କେଚ୍‌’ ସବୁ ନଷ୍ଟ ହୋଇଯାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ର ଗୋଟାଏ ଡବା ପଡ଼ିଥିବା ରେଳଧାରଣା ପାଖରୁ ଉଦ୍ଧାର କରାଯାଇଛି। ସମ୍ଭବତଃ କୌଣସି ଯାତ୍ରୀ ଅବସର ସମୟରେ ଏହି କବିତା ଲେଖିଛନ୍ତି ଓ ‘ସ୍କେଚ୍‌’ ଅଙ୍କନ କରିଛନ୍ତି। କିନ୍ତୁ, ଏଯାବତ୍‌ ତାଙ୍କର ପରିଚୟ ମିଳିନାହିଁ। ଡାଏରିରୁ ଚିରାଯାଇଥିବା ଏହି ସବୁ କାଗଜରେ ଅଙ୍କାଯାଇଛି ହାତୀ, ମାଛ ଓ ସୂର୍ଯ୍ୟର ‘ସ୍କେଚ୍‌’। ପୁଣି ବଙ୍ଗଳା ଭାଷାରେ ଲେଖାଯାଇଛି ଅସମାପ୍ତ ପ୍ରେମ କବିତା। ସେଥିରୁ ଗୋଟିଏ କବିତାର କେତୋଟି ଧାଡ଼ି ହେଲା: ଅଳ୍ପ ଅଳ୍ପ ମେଘରୁ ହାଲୁକିଆ ‌ବର୍ଷା ହୁଏ, ଛୋଟ ଛୋଟ କଥାରୁ ଅନୁରାଗ ଜାତ ହୁଏ…। ସେହିପରି ଆଉ ଗୋଟିଏ ଚିରା କାଗଜରେ ଲେଖାଯାଇଥିବା ଅସମାପ୍ତ କବିତାଟି ହେଉଛି: ତୁମକୁହିଁ ପ୍ରେମ କରେ ଚାହେଁ ସବୁବେଳେ, ଅଛ ତୁମେ ମୋ ମନ ସାଥିରେ…। ସମ୍ପ୍ରତି ଏହି ଅସମାପ୍ତ କବିତା ଲେଖାଥିବା କାଗଜ ଫର୍ଦ୍ଦର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଏହାକୁ ପଢ଼ି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ କହୁଛନ୍ତି, ହୃଦୟ ବିଦାରକ। ଆଉ କିଏ କହୁଛି, ଜୀବନ ଅନିଶ୍ଚିତ। ସଦ୍ୟତମ ସୂଚନା ଅନୁସାରେ, ଏହି କବିତା ସବୁ ଲେଖିଥିବା ବ୍ୟକ୍ତି ବା ଉକ୍ତ କବିଙ୍କ ସହିତ ସମ୍ପର୍କ ଥିବା କୌଣସି ବ୍ୟକ୍ତି ସେମାନଙ୍କ ସହିତ ଯୋଗାଯୋଗ କରି ନ ଥବା କଥା ସ୍ଥାନୀୟ ପୁଲିସ ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.