ବାଲେଶ୍ବର ରୁଟ୍‌ରେ ସ୍ବାଭାବିକ ହେଲା ରେଳ ଚଳାଚଳ, ‘ଜୟ ଜଗନ୍ନାଥ’ ଧ୍ବନି ସହ ଗଡ଼ିଲା

ବାଲେଶ୍ବର : ସୋମବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌। କରମଣ୍ଡଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ବାହାନଗା ଷ୍ଟେସନ ୟାର୍ଡ‌ରେ ପ୍ରବେଶ କଲା ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ର ବେଗ ଥିଲା ଘଣ୍ଟାକୁ ୨୦ କିଲୋମିଟର। ଟ୍ରେନ୍‌ ଧୀରେଧୀରେ ଗଡ଼ୁଥିବା ବେଳେ ସମଗ୍ର ଟ୍ରେନ୍‌ କୋଚ୍‌ରେ ଛାଇ ଯାଇଥିଲା ନିରବତା। ଯାତ୍ରୀମ‌ାନେ ଦୁର୍ଘଟଣାସ୍ଥଳ ଦେଖି ସ୍ବବ୍ଧ ହୋଇଯାଇଥିଲେ। ସେମାନଙ୍କ ‘ଜୟ ଜଗନ୍ନାଥ’ ଧ୍ବନିରେ କିଛି ସମୟ ପାଇଁ ନିରବତା ଭଙ୍ଗ ହୋଇଥିଲା। ଅନେକ ଯାତ୍ରୀଙ୍କ ହୃଦୟରେ ପ୍ରାର୍ଥନା ଏବଂ ଆଖିରୁ ଝରି ପଡ଼ୁଥିଲା ଲୁହ। ଚାରିଆଡ଼େ ବିଛାଡ଼ି ହୋଇପଡ଼ିଥିଲା ଧ୍ବସ୍ତବିଧ୍ବସ୍ତ କୋଚ୍ ଓ ଭଙ୍ଗ‌ା ରେଳ ଧାରଣା। ସେହି ‘କଳା ଶୁକ୍ରବାର’ର ମୂକ ସାକ୍ଷୀ ରୂପେ ଠିଆ ହୋଇଥିଲା ବିଦ୍ୟୁତ ଖୁଣ୍ଟ। ଟ୍ରେନ୍‌ ଗଡ଼ିବା ସମୟରେ ଏଭଳି ଦୃଶ୍ୟ ଦେଖିୁଥିବା ଶହଶହ ଲୋକମାନଙ୍କ ମଧ୍ୟରେ ନିରବତା ଛାଇ ଯାଇଥିଲା।ଗତ ଶୁକ୍ରବାର ଦିନ ଦୁର୍ଘଟଣା ପରେ ଗତକାଲି ମଧ୍ୟରାତିରୁ ଏହି ରୁଟ୍ ଦେଇ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ‌ସୋମବାର ସକାଳେ ସକାଳେ ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲା ବେଳେ ପରିବେଶ ଏଭଳି ଭାବବିହ୍ବଳ ହୋଇଯାଇଥିଲା। ଏହି ‌ଟ୍ରେନ୍‌ ସକାଳ ୬ଟା ୧୦ ମିନିଟରେ‌ ହାୱଡ଼ା ଷ୍ଟେସନ ଛାଡ଼ିଥିଲା। କିନ୍ତୁ ଏହା ବାହାନଗା ଦେଇଯିବ ବୋଲି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇନଥିଲା। ତେବେ ଖଡ଼ଗପୁରରେ ପହଂଚିବା ପରେ ବାହାନଗା ଦେଇ ଗାଡ଼ି ଯିବ ବୋଲି କୁହାଯାଇଥିଲା। ୧୧୦ରୁ ୧୨୦ କିଲୋମିଟର ବେଗରେ ଆସିଥିବା ବନ୍ଦେ ଭାରତ ଏକ୍ସପ୍ରେସ ବାହାନଗା ପୂର୍ବରୁ ଥିବା ଖନ୍ତାପଡ଼ା ଷ୍ଟେସନରେ କିଛି ସମୟ ପାଇଁ ଅଟକିଥିଲା। ଏହାପରେ ଧୀରେଧୀରେ ଆଗକୁ ବଢ଼ିଥିଲା। ଲାଗୁଥିଲା ଯେମିତି ମୃତାହତଙ୍କ ପ୍ରତି ସମବେଦନା ଜଣାଉଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ବାହାନଗା ଦେଇ ଯାଉଥିବା ବେଳେ ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ।

Leave A Reply

Your email address will not be published.