କୋଲକୁର: ଗୁଣିଗାରେଡି ସନ୍ଦେହ ନେଲା ଭୟଙ୍କର ରୂପ । ପଡ଼ୋଶୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ଗ୍ରାମବାସୀ ଏକ ଦମ୍ପତିଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏପରି ଏକ ଅଭାବନୀୟ ଘଟଣା ତେଲେଙ୍ଗାନାର କୋଲକୁର ଜିଲ୍ଲାରେ ଘଟିଛି।ଗତ ଶନିବାର ଗ୍ରାମବାସୀ ମୁତ୍ତାଙ୍ଗି ୟାଦୈହ ଓ ତାଙ୍କ ପତ୍ନୀ ଅମୃଥାମ୍ମାଙ୍କୁ ପଞ୍ଚାୟତ ଅଫିସକୁ ଡାକିଥିଲେ। ସେମାନେ ସେଠାରେ ପହଞ୍ଚିବାରୁ ଗ୍ରାମବାସୀ ସେମାନଙ୍କ ଉପରେ ପଡ଼ୋଶୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗ କରିଥିଲେ। ଏଥିଯୋଗୁ ସବୁବେଳେ ସେମାନଙ୍କ ଶରୀର ଅସୁସ୍ଥ ରହିଥିବା କହିଥିଲେ। ମାତ୍ର ଦମ୍ପତି ଏହାକୁ ଅସ୍ୱୀକାର କରିଥିଲେ।ଏଥିରେ ଉତ୍ତ୍ୟକ୍ତ ଗ୍ରାମବାସୀ ସମ୍ପୃକ୍ତ ଦମ୍ପତିଙ୍କୁ ଗାଁ ମଝିରେ ଥିବା ଏକ ଗଛରେ ବାନ୍ଧି ଓହଳାଇ ଦେଇଥିଲେ। ଏହାପରେ ସେମାନେ ଉଭୟଙ୍କୁ ନିର୍ଧୂମ ପିଟିଥିଲେ। ଏହି ଘଟଣା ଯିଏ ବାହାରେ ପ୍ରଘଟ କରିବ ତାର ବି ସମାନ ଅବସ୍ଥା ହେବ ବୋଲି ଧମକ ଦେଇଥିଲେ । ଫଳରେ ସମସ୍ତେ ଏପରି ଅମାନବୀୟ କାଣ୍ଡର ମୁକ ସାକ୍ଷୀ ପାଲଟିଥିଲେ ବି କେହି ପାଟି ଫିଟାଉ ନ ଥିଲେ।