ଡାକ୍ତରୀ ଛାତ୍ରଙ୍କ ଅମାନବିକତା ସୀମା ଲଂଘିଲା: ଭିମ୍‌ସାରରେ ଆକ୍ରମଣ, ବ୍ରହ୍ମପୁରର ୯ ଡାକ୍ତରୀ ଛାତ୍ର ଆହତ

ବୁର୍ଲା/ବ୍ରହ୍ମପୁର: ବୁର୍ଲା ଭିମ୍‌ସାର୍‌ର ଡାକ୍ତରୀ ଛାତ୍ରମାନେ ଆଜି ଅମାନବିକତାର ସବୁ ସୀମା ଲଂଘିଛନ୍ତି। ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଛନ୍ତି। ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଗ୍ୟାସର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ଗୁରୁତର ସହିତ ନିଆଯିବା ସହିତ ଆସନ୍ତାକାଲି ଥାନାରେ ଏତଲା ଦିଆଯିବ ବୋଲି ଭିମ୍‌ସାର୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡ଼ୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ବୁର୍ଲା ଭିମ୍‌ସାର, କଟକର ଏସ୍‌ସିବି ଏବଂ ବ୍ରହ୍ମପୁରର ଏମ୍‌କେସିଜିର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ‘ୟୁଫୋରିଆ’ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ୩ ବର୍ଷରେ ଥରେ ଏକ ମେଡିକାଲ କଲେଜକୁ ଆୟୋଜନ ଦାୟିତ୍ବ ମିଳିଥାଏ। ଚଳିତ ବର୍ଷ ବୁର୍ଲା ଭିମ୍‌ସାର୍‌ ‘ୟୁଫୋରିଆ’ ଆୟୋଜନ ଦାୟିତ୍ବ ମିଳିଥିଲା। ଗତ କିଛି ମାସ ହେଲା ଏଥିପାଇଁ ଭିମ୍‌ସାରରେ ପ୍ରସ୍ତୁତି ଚାଲିଥିଲା ବେଳେ ଆରମ୍ଭରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର କେତେକ ବରିଷ୍ଠଙ୍କ ବିରୋଧରେ କେତେକ କନିଷ୍ଠ ଛାତ୍ର ଅଭିଯୋଗ ଆଣିଥିଲେ ହେଁ ଏହାର ଆପୋସ ସମାଧାନ ହୋଇଥିଲା। ଆଜି କିନ୍ତୁ ସବୁ ସୀମା ଲଂଘିଥିଲା। ଜୁଲାଇ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତା ପାଇଁ ଗତକାଲି ବ୍ରହ୍ମପୁରର ୬୫ ଜଣ ଏମ୍‌ବିବିଏସ୍‌ ଛାତ୍ର ବୁର୍ଲା ଅଭିମୁଖେ ବାହାରି ଥିଲେ। ୟୁଫୋରିଆରେ ୫ରୁ ୭ ତାରିଖ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସବୁ ପ୍ରସ୍ତୁତି ସରିଥିଲା।

Leave A Reply

Your email address will not be published.