ଡିଏନ୍‌ ଗ୍ରୁପ୍‌ରେ ଆଇଟି ଚଢ଼ଉକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ

ଭୁବନେଶ୍ବର : ଡିଏନ୍‌ ଗ୍ରୁପ୍‌ରେ ଆଇଟି ଚଢ଼ଉକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିଜେପି କହିଛି ଯେ ଓଡ଼ିଶାରେ ଯେତେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରାପଡ଼ୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମ୍‌ନାକୁ ଆସୁଛି। ଲୋକ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍‌ଓକୁ ‘କରପସନ୍ ମୋବିଲାଇଜେସନ୍ ଅଫିସ’ ଭାବୁଛନ୍ତି। ଏପଟେ ବିଜେପିର ଏହି ଅଭିଯୋଗର ଜବାବ୍ ଦେଇ ବିଜେଡି କହିଛି ଯେ ସ୍ପର୍ଶକତାର ମାମଲାରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ଡିଏନ୍‌ ଗ୍ରୁପ୍‌ ଉପରେ ଆଇଟି ଚଢ଼ଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି। ଗୁରୁବାର ଦିନ ବି‌ଜେପି ମୁଖପାତ୍ର ଅନିଲ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଏବେ ଆୟକର ବିଭାଗ ଦ୍ୱାରା ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ଡିଏନ୍‌ ଗ୍ରୁପ୍‌ର ମୁଖ୍ୟ ଜଗଦୀଶ ନାୟକଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ସମ୍ପର୍କ ବ୍ୟକ୍ତିଗତ ସ୍ତରର। ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟାବସାୟିକ ଉତ୍ସବରେ ଯୋଗ ଦେଉଥିଲେ। ସାଥୀରେ ତାଙ୍କୁ ଜାପାନ ନେଇଥିଲେ। ଏହି କମ୍ପାନି ମାଧ୍ୟମରେ ଅଣଓଡ଼ିଆ ଆଇଏଏସ୍‌ଙ୍କ କଳା ଟଙ୍କା ଧଳା ହେଉଥିଲା। ବିଜେଡି ନେତା ଓ ବିଧାୟକଙ୍କର ବି ମନି ଲଣ୍ଡ୍ରିଂ ମାଧ୍ୟମ ସାଜିଥିଲା। କେବଳ ଜଗଦୀଶ ନୁହନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କର ନିବିଡ଼ ସମ୍ପର୍କ। ଯାହାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୫କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଥିଲା। ପୂର୍ବରୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣେ ବନ ଅଧିକାରୀ ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା। ଓଡ଼ିଶା ଦେଶର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ ହୋଇଥିବାବେଳେ ଅଧିକାଂଶ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଂପୃକ୍ତ ରହିଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

Leave A Reply

Your email address will not be published.