ଟଙ୍କା ଜଗତୀକରଣ ଅଭିଯାନ: ଓଡ଼ିଆ ଅଧିକାରୀଙ୍କ ନେତୃତ୍ବରେ ନକ୍ସା ପ୍ରସ୍ତୁତ

ଭୁବନେଶ୍ବର : ଆମେରିକୀୟ ଡଲାରର ନିର୍ଭରଶୀଳତା କମ୍ କରିବା ସହ ଭାରତୀୟ ମୁଦ୍ରା ଟଙ୍କାକୁ ବିଶ୍ବସ୍ତରରେ ବ୍ୟାପକ ଭାବେ ପ୍ରଚଳିତ ହେଉଥିବା ଏକ ମୁଦ୍ରାରେ ପରିଣତ କରିବା ଲାଗି ଏକ ନକ୍ସା ପ୍ରସ୍ତୁତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଓଡ଼ିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ରାଧାଶ୍ୟାମ ରଥଙ୍କ ନେତୃତ୍ବାଧୀନ ୱାର୍କିଂ ଗ୍ରୁପ୍ ସେହି ନକ୍ସା ପ୍ରସ୍ତୁତ କରିଛି। କିଭଳି ଆନ୍ତର୍ଜାତିକ କାରବାରରେ ଟଙ୍କା ଗ୍ରହଣୀୟ ହେବ ତାହାର ବିବରଣୀ ଏହି ଗ୍ରୁପ୍ ପ୍ରଦାନ କରିଛି। ସେଥିପାଇଁ କେଉଁ ସବୁ ସ୍ବଳ୍ପକାଳୀନ, ମଧ୍ୟବର୍ତ୍ତୀକାଳୀନ ଓ ଦୀର୍ଘକାଳୀନ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ତାହା ଗ୍ରୁପ୍ ଜଣାଇଛି। ଭାରତୀୟ ଟଙ୍କାକୁ ସାରା ବିଶ୍ବରେ ପ୍ରଚଳିତ ହେଉଥିବା ଏକ ମୁଦ୍ରାରେ ପରିଣତ କରିବା ଲାଗି ଶ୍ରୀ ରଥଙ୍କ ନେତୃତ୍ବାଧୀନ ଗ୍ରୁପ୍ ଜଣାଇଛି ଯେ ଦେଶର ଅର୍ଥନୈତିକ ପ୍ରଗତି ଓ ବିଶ୍ବ ବାଣିଜ୍ୟରେ ଆଧିପତ୍ୟ ସହ ଟଙ୍କାର ଜଗତୀକରଣ ସିଧାସଳଖ ସମ୍ପର୍କ ରହିଛି। ବିଶ୍ବବ୍ୟାପୀ ଟଙ୍କାର ବ୍ୟବହାର ବଢ଼ାଇବା ଲାଗି ଭାରତରେ ଓ ଭାରତ ବାହାରେ ପ୍ରବାସୀଙ୍କ ପାଇଁ ଟଙ୍କା ଖାତା ଖୋଲିବା ଅନୁମତି ଦେବା ଏବଂ ଭାରତୀୟ ପେମେଣ୍ଟ୍‌ ବ୍ୟବସ୍ଥାକୁ ବିଶ୍ବର ଅନ୍ୟ ପେମେଣ୍ଟ୍‌ ବ୍ୟବସ୍ଥା ସହ ଯୋଡ଼ିବାକୁ ପ୍ରସ୍ତାବ ଦିଆଯାଇଛି। ପୁଞ୍ଜି ବଜାରରେ ସପ୍ତାହକୁ ପାଞ୍ଚ ଦିନ ବିଶ୍ବ ଟଙ୍କା ବଜାରକୁ ଚାଲୁ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ରପ୍ତାନିକାରୀମାନଙ୍କୁ ପ୍ରୋତ୍ସାହନ ଦେଇ ଟଙ୍କାରେ କାରବାର କରିବାକୁ ଉତ୍ସାହିତ କରିବାକୁ ଗ୍ରୁପ୍ କହିଛି। ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଟଙ୍କାରେ ଜାରି ହୋଇଥିବା ମସାଲା ବଣ୍ଡ୍‌ର ଟିକସ ସମୀକ୍ଷା କରିବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.