୯ କିଲୋମିଟର୍ ପାଇଁ ଖଣ୍ଡିଆ ରହିବ କି ମୁମ୍ବାଇ-ହାଓଡ଼ା ତୃତୀୟ ଲାଇନ୍!

ରାଉରକେଲା: ରାଉରକେଲା ଦେଇ ଯାଇଥିବା ମୁମ୍ବାଇ-ହାଓଡା ମୁଖ୍ୟ ମାର୍ଗରେ ଯାତାୟତ ସୁବିଧା ପାଇଁ ଝାଡ଼ଖଣ୍ଡ ପଟୁ ନିର୍ମାଣ ଚାଲିଛି ତୃତୀୟ ରେଳ ଲାଇନ୍‌। ନିର୍ମାଣ କାମ ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ପର୍ଯ୍ୟନ୍ତ ପହଞ୍ଚି ସାରିଛି। କିନ୍ତୁ ଜବରଦଖଲ ସମସ୍ୟାରୁ ରାଉରକେଲା-ପାନପୋଷ ମଧ୍ୟରେ ନିର୍ମାଣ କାମ ଆଗେଇ ପାରୁନି। ପ୍ରାୟ ୮ ବର୍ଷ ଧରି ମୁମ୍ବାଇ-ହାୱଡା ରେଳ ଲାଇନର ଡାହାଣ ପାର୍ଶ୍ବ ଉଚ୍ଛେଦ ପାଇଁ ୯ଟି ବସ୍ତିର ପାଖାପାଖି ୪ ହଜାରରୁ ଅଧିକ ଘର ଚିହ୍ନଟ ହୋଇଛି। ଏସବୁ ଘରଗୁଡ଼ିକୁ ଉଚ୍ଛେଦ କରିବାକୁ ରେଳବାଇ ପକ୍ଷରୁ ଥରେ କି ଦୁଇଥର ନୁହେଁ ଏକାଧିକ ଥର ନୋଟିସ୍‌ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ରେଳବାଇ କିମ୍ବା ଜିଲ୍ଲା ପ୍ରଶାସନ ଗୋଟିଏ ହେଲେ ଘରକୁ ଉଚ୍ଛେଦ କରିପାରିନି। ଉଭୟ ରେଳବାଇ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ ସେମିତି ଅଧାରେ ଅଟକିଛି।କେବଳ ଏତିକି ନୁହେଁ ବସ୍ତିଗୁଡ଼ିକୁ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ଓ ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନେକବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ପର୍ଯ୍ୟାୟକ୍ରମେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ରେଳବାଇ ଓ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ବିରୋଧରେ ୯ ବସ୍ତିର କିଛି ଲୋକ ରହିତାଦେଶ ପାଇଁ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ମାମଲାର ବିଚାର କରି ଉଚ୍ଛେଦ ସପକ୍ଷରେ ରାୟ ଦେଇଥିଲେ। କୋର୍ଟରୁ ସବୁଜ ସଂକେତ ମିଳିବା ପରେ ରେଳବାଇ ଓ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଥିଲେ। ହେଲେ ରାଜନୈତିକ ଚାପ ଓ ବସ୍ତି ବାସିନ୍ଦାଙ୍କ କଡ଼ା ବିରୋଧ ଯୋଗୁ ସେମାନେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ।

Leave A Reply

Your email address will not be published.