ଚାରିଦ୍ୱାର ଖୋଲିବା ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଏକଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର

ପୁରୀ : ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ଦାବି ଜୋର୍‌ ଧରିଛି । ଏକ ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ରବିବାର ଉଦ୍ୟମ ଆରମ୍ଭ ହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଂହଦ୍ୱାର ସମ୍ମୁଖରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। କେବଳ ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ଭକ୍ତଙ୍କୁ ପ୍ରଶାସନ ଅନୁମତି ଦେଉଥିବାରୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡୁଛି । ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଏବଂ ବଡ଼ସିଂହାର ବେଶ ଦର୍ଶନ ସମେତ ମହାପ୍ରସାଦ କିଣିବାକୁ ଯାଉଥିବା ସ୍ଥାନୀୟ ଅଧିବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ରଥଯାତ୍ରା ସମନ୍ୱୟ କମିଟି ସଭାରେ କେତେକ ସେବକ ଏବଂ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରସଙ୍ଗ ଉଠାଇଥିଲେ। ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ପୁଣିଥରେ ଏହି ପ୍ରସଙ୍ଗ ଉଠିଥିଲା। ଏହାସତ୍ତ୍ୱେ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ତେଣୁ ଏକଲକ୍ଷ ଲୋକଙ୍କ ହସ୍ତଖତ ସହ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ।

Leave A Reply

Your email address will not be published.