ସୀମା ବିବାଦ ପ୍ରସଙ୍ଗ: ସମାଧାନ ଚାହୁନି ଆନ୍ଧ୍ର

 କୋରାପୁଟ : ରାଇପାହାଡ଼ରେ ଅନୁପ୍ରବେଶ କରି ବିବାଦକୁ ବଢ଼ାଇବା ପରେ ସମାଧାନ ଚାହୁନି ଆନ୍ଧ୍ର। ବରଂ ପେଞ୍ଚ ପୂରାଇ ଓ ତାରିଖ ଗଡ଼ାଇ ବିବାଦକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟାଣି ନେବାକୁ ଚେଷ୍ଟା କରୁଛି। ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନର କୌଣସି କଥାକୁ ମଧ୍ୟ ଆଦୌ ଗୁରୁତ୍ବ ଦେଉନି। ନିଜ ମର୍ଜିରେ ସବୁ କିଛି ନିର୍ଦ୍ଧାରିତ କରୁଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଚାଟୁଆ ବନ ବିଭାଗ ଡାକବଙ୍ଗଳାରେ ଆଜି ହୋଇଥିବା ଦ୍ବିତୀୟ ସମାଧାନ ବୈଠକରୁ ଏମିତି ସ୍ପଷ୍ଟ ବାର୍ତ୍ତା ମିଳିଛି। ରାଇପାହାଡ଼ ବିବାଦର ସ୍ଥାୟୀ ସମାଧାନ ଆପୋସ ଆଲୋଚନା ମାଧ୍ୟମରେ କରିବାକୁ ଉଦ୍ୟମ କରୁଛି କୋରାପୁଟ ଜିଲ୍ଲା ପ୍ରଶାସନ। କିନ୍ତୁ ଆନ୍ଧ୍ର ପ୍ରଶାସନ କୌଣସି ପ୍ରକାର ସହାୟତା କରୁନି। ଚଳିତ ମାସ ୧୨ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ବିନା ପ୍ରସ୍ତୁତିରେ ଆନ୍ଧ୍ର ଅଧିକାରୀ ଆସିଥିଲେ, କାଗଜପତ୍ର ନଥିବା ଦର୍ଶାଇ ଚାଲିଗଲେ। ତେଣୁ ଆନ୍ଧ୍ରକୁ ଦ୍ବିତୀୟ ସୁଯୋଗ ଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଆଜି ଚାଟୁଆରେ ଏହି ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏପରିକି ବୈଠକର ଏଜେଣ୍ଡା ସଂପର୍କରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ଆନ୍ଧ୍ର ପ୍ରଶାସନକୁ ବହୁ ପୂର୍ବରୁ ଅବଗତ କରାଯାଇଥିଲା। ତଥାପି ଗତଥର ଭଳି ଏଥର କୌଣସି ବରିଷ୍ଠ ଅଧିକାରୀ ବୈଠକକୁ ଆସିଲେନି। ତଥାପି ନିଷ୍କର୍ଷ ବାହାର କରିବାକୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରୁ ଉଦ୍ୟମ ହୋଇଥିଲା। ତେବେ ପୂର୍ବରୁ କଣ୍ଟ ବଢ଼ାଇବା ମାନସିକତା ନେଇ ଆସିଥିବା ଆନ୍ଧ୍ର ଅଧିକାରୀ ୩ଘଣ୍ଟ ଧରି କେବଳ ବସି ରହିଲେ। ଓଡ଼ିଶା ଉପସ୍ଥାପନ କରିଥିବା ପ୍ରମାଣ ଓ ଯୁକ୍ତିକୁ ଧ୍ୟାନର ସହ ଦେଖିଲେ ଏବଂ ଶୁଣିଲେ। ଶେଷରେ ଆମ ପାଖେ କୌଣସି ମ୍ୟାପ ନାହିଁ। କୌଣସି ତଥ୍ୟ ମଧ୍ୟ ଉପଲବ୍ଧ ହୋଇନାହିଁ ବୋଲି ଦର୍ଶାଇଲେ। ସମୟ ଗଡ଼ାଇବା ପାଇଁ ମହଲତ ମାଗି ଚାଲିଗଲେ।ଅନ୍ୟପକ୍ଷରେ ଆଲୁରି ସୀତାରାମ ରାଜୁ ଜିଲ୍ଲାପାଳ ଓ ରାଜସ୍ବ କମିସନରଙ୍କୁ ଅବଗତ କରାଯାଇଛି। ଯାହା ନିର୍ଦ୍ଦେଶ ମିଳିବ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି ଡମ୍ବୁରିଗୁଡ଼ା ତହସିଲଦାର ସି.ଏଚ୍‌ ନାଗାମ୍ମା କହିଛନ୍ତି। ଏପରିକି ଅନୁପ୍ରବେଶ ବି ବନ୍ଦ ହେବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ଲୋକଙ୍କୁ ସରକାରୀ ସହାୟତା ଲୋଡ଼ା। ତେଣୁ ଦୁଇ ରାଜ୍ୟର ଯୋଜନା କାର୍ଯ୍ୟକାରୀ ହେଉ ବୋଲି ପରାମର୍ଶ ଦେଇଥିଲେ। ସମାଧାନ ବଦଳରେ ପରାମର୍ଶ ଏବଂ ବିନା ଦସ୍ତାବିଜରେ ଆଲୋଚନାକୁ ଆସିବା ଆନ୍ଧ୍ରର ଅଭିମୁଖ୍ୟ ପଛର ରହସ୍ୟକୁ ପଦାରେ ପକାଇ ଦେଇଛି। ଆଜିର ଆଲୋଚନାରେ ଡମ୍ବୁରିଗୁଡ଼ା ଡେପୁଟି ତହସିଲଦାର ଏସ୍‌.କେ ମୁଜିବ, ମଣ୍ଡଳ ସୁପରଭାଇଜର ସତ୍ୟନାରାୟଣ, ମଣ୍ଡଳ ଆରଆଇ ଜି.ହରିକ୍ରିଷ୍ଣା, ଏସ୍‌ଆଇ ସନ୍ ତୋଷ କୁମାର, ପି.ପୋଡାଲ, ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡିଓ ସୁଜିତ କୁମାର ମିଶ୍ର, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଆଲୋଚନା ପରେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର କହିଛନ୍ତି, ପୂର୍ବ ବୈଠକ ଭଳି ଏଥର ମଧ୍ୟ ବିନା ପ୍ରସ୍ତୁତିରେ ଆନ୍ଧ୍ର ଅଧିକାରୀ ଆସିଥିଲେ। ଏଥର ମଧ୍ୟ ମହଲତ ମାଗିଛନ୍ତି ଏବଂ ପରବର୍ତ୍ତୀ ବୈଠକ ପାଇଁ ଆନ୍ଧ୍ର ହିଁ ଦିନ ଧାର୍ଯ୍ୟ କରିବ। ରାଇପାହାଡରେ ଆନ୍ଧ୍ରର ସବୁ ଯୋଜନା ବନ୍ଦ କରିବାକୁ ବୈଠକରେ ଅନୁରୋଧ ହୋଇଥିଲା। କିନ୍ତୁ ଏହା ମାନିବାକୁ ସେମାନେ ନାରାଜ। ତେଣୁ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ସେହିପରି ‌ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାର ସୀମାନ୍ତ ଗାଁରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ ଚାଲିଛି। ତେଣୁ ନଜର ରଖାଯାଇଛି, ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.