୩ ସପ୍ତାହରେ ବିସ୍ଥାପନ ବିରୋଧୀ ତିନି ସଙ୍ଗଠନର ୨୩ କର୍ମକର୍ତ୍ତା ଗିରଫ

ଭୁବନେଶ୍ବର: ବିସ୍ଥାପନର ବିରୋଧ କରି ଜଳ, ଜମି ଏବଂ ଜଙ୍ଗଲ ସୁରକ୍ଷା ପାଇଁ ଚାଲୁଥିବା ଆନ୍ଦୋଳନକୁ ଅନ୍ୟାୟ ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଦମନ କରିବା ପାଇଁ ଚେଷ୍ଟା କରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ୩ ସପ୍ତାହ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବରେ କଳାହାଣ୍ଡିର ନିୟମଗିରି ସୁରକ୍ଷା ସମିତି, କୋରାପୁଟର ମାଳି ପର୍ବତ ସୁରକ୍ଷା ସମିତି, ରାୟଗଡ଼ା ଜିଲ୍ଲା ସିଜିମାଳି କୁଟ୍ରୁମାଳି ସୁରକ୍ଷା ସମିତିର ସମୁଦାୟ ୨୩ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଗିରଫ କରାଯାଇଛି। ମାନବାଧିକାର ସଙ୍ଗଠନ ଗାସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଅଚାନକ ଭାବରେ ଏଭଳି ଗିରଫଦାରୀକୁ ସରକାରୀ ଦମନଲୀଳା ବୋଲି ଅଭିଯୋଗ କରିଛି। ଏଥିପୂର୍ବରୁ ସାମାଜିକ ସଙ୍ଗଠନ ଏନଏପିଏମ ମଧ୍ୟ ଜଳ, ଜମି ଏବଂ ଜଙ୍ଗଲ ସୁରକ୍ଷା ପାଇଁ ଲଢେଇ କରୁଥିବା ଏତେ ସଂଖ୍ୟକ ଆନ୍ଦୋଳନକାରୀଙ୍କୁ ଗିରଫଦାରୀକୁ ବିରୋଧ କରିଥିଲା।

gpkandhamal

ଅଭିଯୋଗ ଅନୁଯାୟୀ, ଅଗଷ୍ଟ ମାସ ୨୩ ତାରିଖରେ କୋରାପୁଟ ଜିଲ୍ଲା ମାଳି ପର୍ବତ ସୁରକ୍ଷା ସମିତିର ଅଭି ସୋଡ଼ି ଏବଂ ଦାସ ଖରାଙ୍କୁ ସାଦା ପୋଷାକଧାରୀ କିଛି ବ୍ୟକ୍ତି ଉଠାଇ ଏବେ ଛାଡ଼ି ନେଇଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସ ୫ ତାରିଖ ଏବଂ ୧୬ ତାରିଖରେ କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ଆନ୍ଦୋଳନକାରୀଙ୍କୁ ମଧ୍ୟ ସମାନ ଢଙ୍ଗରେ ପ୍ରଥମେ ଉଠାଇ ନିଆଯାଇଥିଲା। ଆଦିବାସୀ ଦିବସ ପାଳନ ପାଇଁ ନିୟମଗିରି ସୁରକ୍ଷା ସମିତି ପ୍ରସ୍ତୁତ ହେଉଥିଲା। ଏହି ସମୟରେ ସଙ୍ଗଠନର କୃଷ୍ଣ ସିକକା ଏବଂ ବାରି ସିକକାଙ୍କୁ ଲାଞ୍ଜିଗଡ଼ ହାଟରୁ ଉଠାଇ ନିଆଯାଇଥିଲା। ନିୟମିଗିରି ସୁରକ୍ଷା ସମିତିର ସଦସ୍ୟମାନେ ଏହାକୁ ବିରୋଧ କରି ୬ ତାରିଖରେ କଲ୍ୟାଣସିଂହପୁର ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ। ସେମାନଙ୍କ ମୁକ୍ତି ପାଇଁ ଦାବିପତ୍ର ଦେଇଥିଲେ। ଆନ୍ଦୋଳନକାରୀମାନେ ସେଠାରୁ ଫେରୁଥିବା ସମୟରେ ଲାଖପଦର ଗାଁର ଆଉ ଜଣେ ଆନ୍ଦୋଳନକାରୀ ଡ୍ରେଞ୍ଜୁଙ୍କୁ ଗିରଫ ପାଇଁ ପୁଲିସ ଚେଷ୍ଟା କରିବାରୁ ତାର ବିରୋଧ କରାଯାଇ ଥିଲା। ଏହାକୁ ନେଇ ୮ ଜଣ ସାମାଜିକ କର୍ମକର୍ତ୍ତାଙ୍କ ବିରୋଧରେ ପୁଲିସ ୟୁଏପିଏ ଧାରା ଲଗାଇଥିଲା। ଏପରିକି ଆନ୍ଦୋଳନସ୍ଥଳରେ ଅନୁପସ୍ଥିତ ଲିଙ୍ଗରାଜ ଆଜାଦଙ୍କ ବିରୋଧରେ ମଧ୍ୟ ୟୁଏପିଏ ଲଗାଯାଇ ଥିଲା। ପୁଲିସ ପ୍ରଥମେ କୃଷ୍ଣ ଏବଂ ବାରିଙ୍କ ଗିରଫଦାରୀକୁ ଅସ୍ବୀକାର କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୫ ବର୍ଷର ପୁରୁଣା ମାମଲା ଥିବା କଥା କହି କୃଷ୍ଣଙ୍କୁ ଅଦାଲତରେ ହାଜର କରାଇ ଜେଲ ପଠାଇ ଦିଆଯାଇଛି। ବାରି ସିକକାଙ୍କୁ ପୁଲିସ ଛାଡ଼ି ଦେଇଛି।

Umasankar Adv

ରାୟଗଡ଼ା ଜିଲ୍ଲା କାଶୀପୁରରେ ସ୍ଥିତ ସିଜିମାଳିକୁ ଗୋଟିଏ କମ୍ପାନିକୁ ହସ୍ତାନ୍ତରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜନଶୁଣାଣି ଏବଂ ଗ୍ରାମସଭାରେ ଏହାକୁ ନେଇ ଅନୁମୋଦନ ମିଳି ନାହିଁ। ଏଭଳି ସ୍ଥିତିରେ ଅଗଷ୍ଟ ମାସ ୧୨ ତାରିଖରେ ଆଉ ଏକ କମ୍ପାନି ଆସି ଏହି ସ୍ଥାନକୁ ନିରୀକ୍ଷଣ କରୁଥିଲେ। ସ୍ଥାନୀୟ ଲୋକ ଏହାର ବିରୋଧ କରିବାରୁ ସିଜିମାଳି କୁଟ୍ରୁମାଳି ସୁରକ୍ଷା ସମିତିର କର୍ମକର୍ତ୍ତା ତଥା ପୂର୍ବତନ ସରପଞ୍ଚ ଧାନଫୁଲ ମାଝୀ, ପୂର୍ବତନ ସମିତି ସଭ୍ୟ ସୀତାରାମ ମାଝୀ ଓ ଅନୀଲ ମାଝୀଙ୍କୁ ଅଗଷ୍ଟ ୧୬ ତାରିଖରେ ରାୟଗଡ଼ାରୁ ଉଠାଇ ନିଆଯାଇଥିଲା। ପ୍ରତିବାଦ ହେବାରୁ ୧୯ ତାରିଖରେ ଏମାନଙ୍କୁ ପୁଲିସ ଗିରଫ କରିଥିବା ସୂଚନା ଦିଆଯାଇଛି। ଇତି ମଧ୍ୟରେ ସିଜିମାଳି ଅଞ୍ଚଳରୁ ୨୧ ଜଣ ଗ୍ରାମବାସୀଙ୍କୁ ଆଇପିସିର ଧାରା ୩୦୭ (ହତ୍ୟା ପାଇଁ ଉଦ୍ୟମ)ଏବଂ ବେଆଇନ ଅସ୍ତ୍ର ନିରୋଧ ଆଇନର ବିଭିନ୍ନ ଧାରା ବଳରେ ଗିରଫ କରିଛି। ପୁଲିସ ଗିରଫ ବେଳେ ଜଣେ ଆନ୍ଦୋଳନକାରୀ ଛାତ ଉପରୁ ଖସିଯିବାରୁ ଅବସ୍ଥା ଗୁରୁତର ହୋଇଛି। ଗିରଫ ଗ୍ରାମବାସୀଙ୍କୁ ଖଲାସ ଓ ୟୁଏପିଏ କେସର ପ୍ରତ୍ୟାହାର ଲାଗି ବିଭିନ୍ନ ସଙ୍ଗଠନ ଦାବି କରିଛି।

Leave A Reply

Your email address will not be published.