ଅନୁଗୁଳ ଜିଲ୍ଲାରେ ଆଖିବୁଜା କଟା ଚାଲିଛି ତାଳଗଛ: ବଢ଼ୁଛି ବଜ୍ରପାତ, ୫ ବର୍ଷରେ ଗଲାଣି ୪୨ମୁଣ୍ଡ

ଅନୁଗୁଳ: ବେଶି ଦିନର କଥା ନୁହେଁ, ୧୦ବର୍ଷ ତଳର ଚିତ୍ର ଦେଖିଲେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଏତେଟା ନ ଥିଲା। କିନ୍ତୁ, ଅନୁଗୁଳ ଜିଲ୍ଲାରେ ଶିଳ୍ପର ଗତି ବଢ଼ିବା ଦିନଠୁ ଗଲା ଦଶନ୍ଧି ଭିତରେ ଏ ତାଳମେଳ ପୂରା ଭୁଶୁଡ଼ି ପଡ଼ିଛି। ଜଙ୍ଗଲର ବିରାଟକାୟ ପ୍ରାଣୀ ଏବେ ଲୋକଙ୍କ ଘରକୁ ଘର ବୁଲୁଛି। ପରିବେଶ ସନ୍ତୁଳନ ବର୍ତ୍ତମାନ ଏମିତି ବିଗିଡ଼ିଛି ଯେ, ଉଭୟ ମଣିଷ ଓ ହାତୀଙ୍କର ମୃତ୍ୟୁ ଛଡ଼ା ଆଗକୁ ଏହାର ସମାଧାନ ବି ଆଖିକୁ ଦିଶୁନି। ଗୋଟିଏ ପଟେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ହାତୀ ଓ ମଣିଷ ଲଢ଼େଇ ଉଗ୍ରରୂପ ଧାରଣ କରିଥିବା ବେଳେ ଏବେ ପ୍ରକୃତିର ଅନ୍ୟ ଦୁଇ ଅଙ୍ଗ ବିଜୁଳି ଏବଂ ତାଳ‌ଗଛ ମଧ୍ୟରେ ଥିବା ତାଳମେଳ ବିଗିଡ଼ିବା ଆଶଙ୍କା ଦେଖା ଦେଲାଣି। ଯେଉଁ ହାରରେ ଉଭୟ ଜିଲ୍ଲାରୁ ଆଖିବୁଜା ତାଳଗଛ କଟା ଚାଲିଛି ଏବଂ ସେହି ଅନୁପାତରେ ଘନଘନ ବିଜୁଳି ବର୍ଷଣ ଚାଲିଛି। ଏବେଠୁ ଏ ଦିଗ ପ୍ରତି ସଚେତନ ନ ହେଲେ ଆଗକୁ ଜିଲ୍ଲା ପାଇଁ ବିଜୁଳି ଓ ଘଡ଼ଘଡ଼ି ବି ଯେ ଭୟଙ୍କର ରୂପ ନ ନେବ ତାହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କଲେଣି। କେବଳ ପରିବେଶବିତ୍‌ ନୁହନ୍ତି, ତାଳଗଛକୁ ନେଇ ମଧ୍ୟ ରାଜ୍ୟ ରିଲିଫ୍‌ କମିସନର୍‌ ମଧ୍ୟ ଚିନ୍ତା ପ୍ରକଟ କଲେଣି। ଯେଉଁ ଜିଲ୍ଲାଗୁଡ଼ିକରେ ବିଜୁଳି ଭୟ ଦେଖାଇଲାଣି, ସେଠି ତାଳଗଛ ଲଗାଇବାକୁ ଉଭୟ ବନ ଓ କୃଷି ବିଭାଗକୁ କୁହାଯାଇଛି ବୋଲି କମିସନର ଟୁଇଟ୍‌ କରି ଜଣାଇଛନ୍ତି। ତାଳଗଛର ଉପଯୋଗିତା କେବଳ ବିଜୁଳି ସହିତ ଜଡ଼ିତ ତାହା ନୁହେଁ, ଏହା ହାତୀ ସହିତ ମଧ୍ୟ ସମ୍ପର୍କିତ। ଆକାଶରୁ ବର୍ଷଣ ହେଉଥିବା ବିଜୁଳିର ଶିକାର ସାଧାରଣତଃ ତାଳଗଛ ହୁଏ। କାରଣ, ଏହାର ଉଚ୍ଚତା ପାଇଁ। ଖାଲି ପଡ଼ିଆ ହେଉ ଅବା କ୍ଷେତକୁ ବିଜୁଳି ଆଘାତ ଦେଲେ ଯେହେତୁ ତାଳଗଛ ଉଚ୍ଚରେ ଥାଏ, ତେଣୁ ବିଜୁଳି ଆଘାତ ତାଳଗଛ ଉପରେ ପଡ଼େ। ସେହି ଦୃଷ୍ଟିରୁ ବିଜୁଳି ଏବଂ ତାଳ‌ଗଛ ମଧ୍ୟରେ ଏକ ପ୍ରାକୃତିକ ସମ୍ପର୍କ ରହିଛି। ଜିଲ୍ଲା ଆପାତକାଳୀନ ବିଭାଗ ତଥ୍ୟ ମୁତାବକ, ଗଲା ପାଞ୍ଚବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ବିଜୁଳି ମୋଟ୍ ୪୨ଜଣ ମଣିଷଙ୍କୁ ମାରିଛି। ତାଳଗଛ ନ ରହିଲେ, ଏ ସ୍ଥିତି ଆହୁରି କେତେ ଭୟଙ୍କର ହେବ ତାହାକୁ ନେଇ ପରିବେଶବିତ୍‌ ଆତଙ୍କିତ ହୋଇପଡ଼ିଛନ୍ତି। କେବଳ ବିଜୁଳି ସହିତ ନୁହେଁ, ତାଳଗଛ ହାତୀକୁ ବି ପ୍ରଭାବିତ କରେ। କୁହାଯାଏ, ପାଚିଲା ତାଳ ହାତୀର ଅନ୍ୟତମ ପ୍ରିୟ ଖାଦ୍ୟ। ବର୍ଷା ଦିନେ ପାଚିଲା ତାଳ ହାତୀର ଖାଦ୍ୟ ଅଭାବକୁ ମେଣ୍ଟାଇ ଦିଏ। ଗୋଟିଏ ପଟେ ଉଭୟ ହାତୀ ଏବଂ ବିଜୁଳି ଜିଲ୍ଲା ପାଇଁ ବିପଦ ଠିଆ କରିଥିବା ବେଳେ ଅନ୍ୟପଟେ ଅନୁଗୁଳ ମାଟିରୁ ଦୈନିକ ହଜାର ହଜାର ଅବାଧ ତାଳଗଛ କଟାଯିବା ଘଟଣା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଲାଣି। ଗଲା ଦୁଇ ବର୍ଷ ମଧ୍ୟରେ ଅନ୍ୟ ରାଜ୍ୟରୁ ଲୋକେ ହଜାରେ/ଦୁଇ ହଜାର ଟଙ୍କା ଦେଇ ଶହ ଶହ ତାଳଗଛ କାଟି ଚାଲିଛନ୍ତି। ଯେହେତୁ, ଏ ଗଛ ଆଇନ୍‌ ପରିସରଭୁକ୍ତ ନୁହେଁ, ତେଣୁ ବନ ବିଭାଗ ବି ନିରବଦ୍ରଷ୍ଟା ସାଜିଛି। ଏପଟେ ରାଜ୍ୟ ରିଲିଫ୍‌ କମିସନରଙ୍କ ନିଷ୍ପତ୍ତି ଏ ଦିଗରେ କିଛିଟା ଆଶ୍ବସ୍ତ କରିଛି। ଯେହେତୁ, ତାଳଗଛ ବିଜୁଳି ଦୃଷ୍ଟିରୁ ଉପକାରୀ, ତେଣୁ ବିଜୁଳି ବିପଦ ଥିବା ଜିଲ୍ଲାରେ ଓ ସଂରକ୍ଷିତ ଜଙ୍ଗଲରେ ଏ ଗଛକୁ ବ୍ୟାପକ ମାତ୍ରାରେ ଲଗାଇବା ପାଇଁ ଉଭୟ କୃଷି ଏବଂ ବନ ବିଭାଗକୁ କୁହାଯାଇଛି ବୋଲି କମିସନର ଆଜି ଟୁଇଟ୍ ଯୋଗେ ଜଣାଇଛନ୍ତି।

Leave A Reply

Your email address will not be published.