ସାମ୍ନାକୁ ଆସିଲା ଆଉ ଏକ କେଳେଙ୍କାରୀ: ୧୧ବର୍ଷରେ ବେଦାନ୍ତ ଠକିଛି ଶହେ କୋଟି

ଝାରସୁଗୁଡ଼ା: ବେଦାନ୍ତ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ୫୩ ଏକର ଜମିରେ ଗଢ଼ି ଉଠିଥିବା ବେଦାନ୍ତ ଟାଉନ୍‌ସିପ୍‌ ବିନା ଅନୁମତିରେ ତିଆରି ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ଟ୍ରଷ୍ଟ (ଜେଆର୍‌ଆଇଟି) ଘୋଷଣା କରିସାରିଛି। ସେପଟେ, ୨୦୧୦-୨୦୧୧ ମସିହାରେ ବେଦାନ୍ତ ଏହି ଟାଉନ୍‌ସିପ୍‌ର ମାତ୍ର ୨୦ ପ୍ରତିଶତ ତିଆରି କରିଥିଲା। ଯାହା ଅନୁସାରେ ସେ ଅଦ୍ୟାବଧି ମ୍ୟୁନିସିପାଲିଟିକୁ ବାର୍ଷିକ ମାତ୍ର ୧.୯ କୋଟି ଟଙ୍କାର ହୋଲଡିଂ ଟିକସ ପୈଠ କରୁଛି। ମାତ୍ର ୨୦୧୧ ତୁଳନାରେ ବର୍ତ୍ତମାନ ଟାଉନ୍‌ସିପ୍‌ର ଆୟତନ ଓ କନଷ୍ଟ୍ରକସନ ପ୍ରାୟ ୫ ଗୁଣା ସମ୍ପ୍ରସାରିତ ହୋଇସାରିଛି। ହେଲେ ବେଦାନ୍ତ ବର୍ଦ୍ଧିତ ଆୟତନ ଅନୁସାରେ ମ୍ୟୁନିସିପାଲିଟିକୁ ଟିକସ ‌ପୈଠ କରୁନାହିଁ। ଯଦ୍ବାରା ମ୍ୟୁନିସିପାଲିଟି ଏହା ମଧ୍ୟରେ ଶହେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ସହିଲାଣି।

gpkandhamal

ବାରମ୍ବାର ବେଦାନ୍ତକୁ ଚିଠି କରିବା ପରେ ମଧ୍ୟ ଉକ୍ତ ଟାଉନ୍‌ସିପରେ ଗଢ଼ା ଯାଇଥିବା ନୂଆ କୋଠା ଓ ନିର୍ମାଣର ଆସେସ୍‌ମେଣ୍ଟ ତଥା ପୁରୁଣା କୋଠାର ରିଆସେସ୍‌ମେଣ୍ଟ ପାଇଁ ସହଯୋଗ କରୁନଥିବା ଜଣାପଡ଼ିଛି। ଗତ ୨ ତାରିଖରେ ମଧ୍ୟ ଝାରସୁଗୁଡ଼ା ମ୍ୟୁନିସିପାଲିଟି ବେଦାନ୍ତକୁ ଚିଠି ଲେଖି ୭ ଦିନ ମଧ୍ୟରେ ‌ଆସେସମେଣ୍ଟରେ ସହଯୋଗ ପାଇଁ ଅଧିକାରୀ ନିଯୁକ୍ତ କରିବାକୁ କହିଥିଲେ। ମାତ୍ର ଇତି ମଧ୍ୟରେ ୧୭ ଦିନ ବିତିଯାଇଥିଲେ ସୁଦ୍ଧା ବେଦାନ୍ତ ଅଧିକାରୀଙ୍କୁ ନିଯୁକ୍ତ କରୁନି। ଏନେଇ ମ୍ୟୁନିସିପାଲିଟି କର୍ତ୍ତୃକକ୍ଷଙ୍କୁ ଯୋଗାଯୋଗ କରିବାରୁ ଆସନ୍ତା ଶୁକ୍ରବାର ଏନେଇ ଏକ ବୈଠକ ଥିବାରୁ ସେଠାରେ ବେଦାନ୍ତ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ,୨୦୧୨ରେ ବେଦାନ୍ତ ଝାରସୁଗୁଡ଼ା ମ୍ୟୁନିସିପାଲିଟି ନିକଟରେ ଟାଉନ୍‌ସିପର ପରିମଳ ଓ ରାସ୍ତା ନିର୍ମାଣ

Umasankar Adv

ପାଇଁ ଅନୁମତି ଲୋଡ଼ିଥିଲା। ଯେଉଁଥିରେ ମ୍ୟୁନିସିପାଲିଟି ପକ୍ଷରୁ ବେଦାନ୍ତକୁ ଏନ୍‌ଓସି ଦିଆଯାଇଥିଲା। ମାତ୍ର ଏଥିରେ କୋଠା ନିର୍ମାଣ ସମ୍ପର୍କିତ କୌଣସି ଅନୁମତି ବେଦାନ୍ତ ମାଗିନଥିଲା କି ମ୍ୟୁନିସିପାଲିଟି ପ୍ରଦାନ କରିନଥିଲା। ଯାହାକୁ ନେଇ ୨୦୧୩ରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ଉକ୍ତ ଟାଉନ୍‌ସିପକୁ ଅବୈଧ ଘୋଷଣା କରିବା ସହ ବେଆଇନ୍‌ ନିର୍ମାଣ କରାଯାଇଥିବା ନେଇ ବେଦାନ୍ତକୁ ଦେଇଥିବା ଚିଠିରେ ଦର୍ଶାଇଥିଲା। ୨୦୧୪ ଜାନୁଆରି ୧୦ ତାରିଖରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ବେଦାନ୍ତର ତତ୍କାଳୀନ ସିଇଓ ଅଭିଜିତ ପତିଙ୍କୁ ଚିଠି ଲେଖି ବେଆଇନ୍‌ କୋଠା ନିର୍ମାଣ ପାଇଁ ନୋଟିସ୍‌ ଜାରି କରିଥିଲେ। ଯେଉଁଥିରେ ବେଦାନ୍ତ ଜେଆରଆଇଟି ନିକଟରୁ ୩ ମହଲା କୋଠା ପାଇଁ ଅନୁମତି ନେଇ ବେଆଇନ୍‌ ଭାବେ ଏହାଠାରୁ ଅଧିକ ମହଲା ନିର୍ମାଣ କରିଥିବା ଦର୍ଶାଯାଇଥିଲା। ଏନେଇ ଗତ ମାର୍ଚ୍ଚ ୨ ତାରିଖରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ପକ୍ଷରୁ ବେଦାନ୍ତକୁ ଚିଠି କରାଯାଇ କୋଠା ଓ ନିର୍ମାଣର ଆସେସମେଣ୍ଟରେ ସହଯୋଗ ପାଇଁ ୭ ଦିନର ମହଲତ ଦିଆଯାଇଥିଲା। ମାତ୍ର ବେଦାନ୍ତର କୌଣସି ଉତ୍ତର ମିଳିଲାନି। ଏହାର ୬ ମାସ ପରେ ଗତ ୨ ତାରିଖରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ବେଦାନ୍ତକୁ ପୁଣି ଥରେ ଚିଠି ଲେଖି ଅନୁରୂପ ଅନୁରୋଧ କରିଛି। ମାତ୍ର ବେଦାନ୍ତ ଏଥିପ୍ରତି ଅବହେଳା କରୁନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଟିକସ ଆସେସମେଣ୍ଟ କମିଟି ସଦସ୍ୟ ସତ୍ୟ ନାରାୟଣ ରାଓଙ୍କୁ ପଚାରିବାରୁ ପ୍ରଶାସନ, ମ୍ୟୁନିସିପାଲିଟି ଓ ବେଦାନ୍ତ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କେବଳ ଲୋକ ଦେଖାଣିଆ ଚିଠି ଖେଳ ଚାଲିଛି। ଯଦ୍ବାରା ପ୍ରତିବର୍ଷ ରାଜ୍ୟ ସରକାର କୋଟି କୋଟି ଟଙ୍କାର ହୋଲଡିଂ ଟିକସ କ୍ଷତି ସହୁଛନ୍ତି। ଏହା ହେଉଛି ସରକାରଙ୍କ ସ୍ବଚ୍ଛ ଶାସନର ନଗ୍ନ ଚିତ୍ର ବୋଲି ସେ କହିଛନ୍ତି।

Leave A Reply

Your email address will not be published.