ଅଭିଯୋଗକାରୀ ଯୋଗାଡ଼ ଚା‌ଲିଛି: ତୃତୀୟ ଦିନ ପାଇଁ ସମ୍ବାଦ ଅଧିକାରୀଙ୍କୁ ଇଓଡବ୍ଲ୍ୟୁର ଜେରା

 ଭୁବନେଶ୍ବର: ‘ସମ୍ବାଦ’ କାହିଁକି ୫-ଟି ସଚିବଙ୍କୁ ପ୍ରଶ୍ନ କଲା? ଏଥି ପାଇଁ ପୂରା ସରକାରୀ କଳ ଏବେ ‘ସମ୍ବାଦ’ ପଛରେ। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମିଛ ମାମଲା ଯୋଡ଼ିବା ପାଇଁ ଏବେ ଲୋକ ଯୋଗାଡ଼ ଚାଲିଛି। ‘ସମ୍ବାଦ’ର ପୂର୍ବତନ କର୍ମଚାରୀମାନଙ୍କୁ ପ୍ରଭାବିତ କରାଯାଇ ଏତଲା ଦେବା ପାଇଁ ଜୋର୍‌ଦାର ଚାପ ପକାଯାଉଛି। ଏଥିରେ କିଛିକାଂଶରେ ସଫଳ ବି ହୋଇଛନ୍ତି। ତିନି ଦିନ ଭିତରେ ୨/୩ ଜଣ କର୍ମଚାରୀଙ୍କୁ ଆଣି ଇଓଡବ୍ଲ୍ୟୁରେ ଏତଲା କରାଇସାରିଲେଣି।

gpkandhamal

ଗଣମାଧ୍ୟମର କଣ୍ଠରୋଧ ପାଇଁ ସରକାରୀ କଳର ଏମିତି ହୀନ ଉଦ୍ୟମ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଓଡବ୍ଲ୍ୟୁ ପକ୍ଷରୁ ‘ସମ୍ବାଦ’ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଜାରି ରହିଛି। ‘ସକାଳ’ର କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ଋଣ ଠକେଇ ମାମଲା(ଯାହା ପୂର୍ବରୁ ପରିଶୋଧ ହୋଇସାରିଛି)ରେ ଆଜି ସମ୍ବାଦର ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କୁ ଦ୍ବିତୀୟ ଦିନ ପାଇଁ ଜେରା କରାଯାଇଛି। ଆଜି ଅପରାହ୍ନରେ ଶ୍ରୀମତୀ କର ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତଦନ୍ତକାରୀ ଟିମ୍ ତାଙ୍କ ଠାରୁ ଯେଉଁ ତଥ୍ୟ ଚାହିଁଥିଲେ ସେ ପ୍ରଦାନ କରିଛନ୍ତି। ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ମିଳିଛି। ଇଓଡବ୍ଲ୍ୟୁ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିବୃତିରେ କୁହାଯାଇଛି, ବ୍ୟାଙ୍କ ସଂକ୍ରାନ୍ତୀୟ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ତଦନ୍ତ ଜାରି ରହିଛି। ଅଭିଯୋଗକାରୀ, ସାକ୍ଷୀ ମାନଙ୍କୁ ପଚରାଉଚରା କରାଯାଇଛି। ଆଉ କେତେକ ଅଭିଯୋଗର ଯାଞ୍ଚ କରାଯାଇଛି। ବ୍ୟାଙ୍କଠାରୁ କିଛି ତଥ୍ୟ ସଂଗ୍ରହ କରାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାକୁ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ୧୬ ତାରିଖରେ ଇଓଡବ୍ଲ୍ୟୁରେ ମାମଲା ହେଲା। ତଦନ୍ତକୁ ମାତ୍ର ତିନି ଦିନ ହୋଇଛି। କିନ୍ତୁ ଆଜି ଇଓଡବ୍ଲ୍ୟୁର ପ୍ରେସ୍ ବିବୃତିରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି ଯେ ସବୁ ଅଭିଯୋଗ ସତ ଓ ସବୁ ଜାଲିଆତି ଧରାପଡ଼ିଛି। ଏଥିରୁ ସ୍ପଷ୍ଟ ଆଭାସ ମିଳୁଛି ଯେ ତଦନ୍ତ ସରିବା ଆଗରୁ ‘ସମ୍ବାଦ’ ଜାଲିଆତି କରିଛି ବୋଲି ଇଓଡବ୍ଲ୍ୟୁ ମନସ୍ଥ କରିସାରିଛି। ତଦନ୍ତ କେବଳ ନାମକୁ ମାତ୍ର ହେଉଛି। ଯେନତେନ ଉପାୟରେ ସମ୍ବାଦକୁ ଫସାଇବା ପାଇଁ ଉପରୁ ଚାପ ପଡ଼ୁଥିବା ସଙ୍କେତ ମିଳୁଛି। ସମ୍ଭବତଃ ଇଓଡବ୍ଲ୍ୟୁ ଇତିହାସରେ ଏମିତି ତଦନ୍ତ ଆଗରୁ ହୋଇ ନଥିବ ବୋଲି ଆଇନ ବିଶାରଦମାନେ ମତ ଦେଇଛନ୍ତି। ହେଲେ ଅଭିଯୋଗକୁ ଆହୁରି ମଜବୁତ୍‌ କରି ‘ସମ୍ବାଦ’ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନିନ୍ଦିତ କରିବା ପାଇଁ ସମ୍ବାଦର ପୂର୍ବତନ କର୍ମଚାରୀମାନଙ୍କୁ ଖୋଜି ଖୋଜି ବାହାର କରାଯାଉଛି। ୫-ଟି ସଚିବଙ୍କ ବଚସ୍କର ପାଲଟିଥିବା ନେତା ଓ ଅଧିକାରୀମାନେ ସେମାନଙ୍କ ଉପରେ ଚାପ ପକାଉଛନ୍ତି ଏତଲା ଦେବା ପାଇଁ। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ମାମଲା ହେଲାଣି, ସେ ସମ୍ପର୍କରେ ଇଓଡବ୍ଲ୍ୟୁ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Umasankar Adv
Leave A Reply

Your email address will not be published.