ବିଜେବି ​କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣା

ଚୌଦ୍ବାର: ରାଜ୍ୟରେ ଗୋଟିଏ ସମୟରେ ଆଲୋଡ଼ନ ସୃଷ୍ଟି କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନି। କିଛି ଦିନ ତଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସଭାମଂଚକୁ ଚଢି ରୁଚିକାଙ୍କ ମା ବିଦ୍ୟୁତପ୍ରଭା ମହାନ୍ତି ପ୍ରଶ୍ନ ପଚାରି ଥିବା ବେଳେ ଆଜି କଖଡ଼ି ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ନ୍ୟାୟ ମାଗିଛନ୍ତି। ଶ୍ରୀମତୀ ମହାନ୍ତି ବିଳମ୍ବିତ ନ୍ୟାୟ ପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଭିନ୍ନ ଅପପ୍ରଚାରକୁ ନେଇ ସେ ସିଧାସଳଖ ଭାବରେ ମନ୍ତ୍ରୀ ତଥା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ରଖିଛନ୍ତି।


ଯଦି କିଛି କ୍ଷତିପୂରଣ ଅର୍ଥ ତାଙ୍କୁ ଦିଆଯାଇଥାଏ ତେବେ ସେ ତାଙ୍କର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ୍ ଯାଂଚ କରିବା ପାଇଁ ଅନୁରୋଧ କରିଛନ୍ତି। ନିଜର ଓ ନିଜର ସ୍ବର୍ଗତ ଝିଅ ବିଷୟରେ ସ୍ଥାନୀୟ ଶାସକ ଦଳର ନେତୃବୃନ୍ଦ ଯେଉଁଭଳି ଅପପ୍ରଚାର କରୁଛନ୍ତି ତାହାକୁ ସେ ଦୃଢ ଭାବେ ଖଣ୍ତନ କରିବା ସହିତ ଏସବୁ ଘଟଣାର ଭଗବାନ ବିଚାର କରିବେ ବୋଲି କହିଛନ୍ତି। ନିଜ ଝିଅକୁ ହରାଇ ସେ ନିଜେ ଓ ତାଙ୍କ ପରିବାର ଯେଉଁଭଳି ଭାବରେ ଜୀବନ ଅତିବାହିତ କରୁଛନ୍ତି ସେଭଳି ପରିସ୍ଥିତିରେ ଶାସକ ଦଳର ନେତାମାନଙ୍କର ଅପପ୍ରଚାର ଶୁଣି ସେ ମଧ୍ୟ ଆତ୍ମାହୁତି ଦେବେ ବୋଲି କହିଛନ୍ତି। ନିଜର ଝିଅ ମୃତ୍ୟୁ ଘଟଣାରେ ଯଥାଶୀଘ୍ର ତାଙ୍କୁ ନ୍ୟାୟ ପ୍ରଦାନ ଓ ତାଙ୍କ ପରିବାର ବିରୁଦ୍ଧରେ ଯେଉଁମାନେ ଅପପ୍ରଚାର କରୁଛନ୍ତି ସେମାନଙ୍କୁ ଉଚିତ୍ ଦଣ୍ତ ଦେବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରୁଚିକାଙ୍କ ମା ଶ୍ରୀମତୀ ମହାନ୍ତିଙ୍କ ସହିତ ପୂର୍ବତନ ସରପଂଚ ସୁନିଲ ସୂତାର ଓ ସେମାନଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ।

Umasankar Adv
Leave A Reply

Your email address will not be published.