ରାଜ୍ୟର ମୋଟ ଋଣ ୮୮ ହଜାର ୪୮୭ କୋଟି

 ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଅପରାହ୍ନରେ ୨୮ ହଜାର ୨୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ବିଧାନସଭାରେ ଆଗତ କରିଛନ୍ତି। ଚଳିତ ବର୍ଷ ମୂଳ ବଜେଟ୍‌ର ଏହା ୧୨.୨୬%। ୨୦୨୩-୨୪ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏଥିସହିତ ଓଡ଼ିଶା ସରକାରଙ୍କ ବଜେଟ୍ ଆକାର ରେକର୍ଡ ଛୁଇଁଛି। କାରଣ ମୂଳ ବଜେଟ୍ ଓ ଅତିରିକ୍ତ ବଜେଟ୍ ପରିମାଣକୁ ମିଶାଇଲେ ପୂର୍ବରୁ ଏତେ ପରିମାଣର ଅର୍ଥ କେବେ ବି ବରାଦ ହୋଇନଥିଲା।  ଆର୍ଥିକ ବର୍ଷର ପ୍ରଥମ ୬ମାସ ପରେ ଅତିରିକ୍ତ ବଜେଟ୍‌ର କାହିଁକି ଆବଶ୍ୟକତା ପଡ଼ିଲା ସେ ସଂପର୍କରେ ଯୁକ୍ତି ରଖି ସରକାର କହିଛନ୍ତି; ଜାରି ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଅତିରିକ୍ତ ପାଣ୍ଠି ଅପରିହାର୍ଯ୍ୟ ଥିଲା। ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ ଆବଶ୍ୟକ ପଡ଼ୁଥିଲା। ଏହି ବଜେଟ୍ ପାରିତ ହେଲେ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଆଣିଥିବା ଅଗ୍ରୀମ ଅର୍ଥ ମଧ୍ୟ ଭରଣା କରିବେ। ବଜେଟ୍‌କୁ ନିରେଖି ଦେଖିଲେ ଆହୁରି ଜଣାପଡ଼ୁଛି ଯେ ଆସନ୍ତାବର୍ଷ ନିର୍ବାଚନ ଥିବାରୁ ଜନମତକୁ ନିଜ ଆଡ଼କୁ ଟାଣିବା ଲାଗି ସରକାର ଏବେଠାରୁ ପାଖାପାଖି ୧୮ଟି ଯୋଜନା ବା କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଛନ୍ତି। ଏହାର କାର୍ଯ୍ୟାନ୍ବୟନ ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ଏଥିରେ ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା, ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କା, ପଞ୍ଚାୟତ ମାଧ୍ୟମରେ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୧୫୩ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ବାବଦରେ ୧୧୦ କୋଟି ଟଙ୍କା, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କା, ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କା, ପଞ୍ଚାୟତ କମ୍ପ୍ୟୁଟରୀକରଣ ଆଦି ବାବଦରେ ୨୫୨ କୋଟି ଟଙ୍କାଇତ୍ୟାଦି ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ଏତେ ବିଶାଳ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ସରକାର ଦର୍ଶାଇବାକୁ ଚାହିଁଛନ୍ତି ଯେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ତଥ୍ୟ ରଖାଯାଇଛି ଯେ ନିଜସ୍ବ ରାଜସ୍ବରେ ଗତବର୍ଷ ଅପେକ୍ଷା ୧୨.୯% ବୃଦ୍ଧି ପାଇଛି। ଅଗଷ୍ଟ ଶେଷ ସୁଦ୍ଧା ନିଜସ୍ବ ଟିକସ ଆଦାୟ ୨୦ ହଜାର୧୩୧ କୋଟି (ମୂ​ଳ ବଜେଟ୍‌ ବେଳେ କରାଯାଇଥିବା ଆକଳନର ୩୮%) ଟଙ୍କା ହୋଇଥିବା ବେଳେ ଓ ନିଜସ୍ବ ଅଣଟିକସ କ୍ଷେତ୍ରରେ ଏହା ୨୧ ହଜାର ୧୦୦ କୋଟି (ମୂ​ଳ ବଜେଟ୍‌ ବେଳେ କରାଯାଇଥିବା ଆକଳନର ୪୦.୨%)ଟଙ୍କା ରହିଛି। ସେହିଭଳି କେନ୍ଦ୍ରୀୟ ଅଂଶଧନ ଓ ଅନୁଦାନ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଚିତ୍ର ରଖିଛନ୍ତି ସରକାର।

Leave A Reply

Your email address will not be published.