ଡିସେମ୍ବର ସୁଦ୍ଧା ଖାଲି ପଡ଼ିବ ୧.୨୯ ଲକ୍ଷ ; ୯୮ ହଜାର ପଦ ପୂରଣ ପାଇଁ ନିଷ୍ପତ୍ତି

ଭୁବନେଶ୍ବର : ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ ଖାଲି ପଡିବ। ସେଥିମଧ୍ୟରୁ ସରକାର ୯୮ ହଜାର ୭୫ଟି ପଦରେ ନିଯୁକ୍ତି ମନୋନୟନକାରୀ ସଂସ୍ଥା ଗୁଡିକ ଦ୍ବାରା ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରହିଛି। ପରବର୍ତ୍ତୀ ସମୟରେ ବଳକା ୩୧ ହଜାର ୧୫୨ଟି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିଯୁକ୍ତି ନିମନ୍ତେ ବିଭାଗଗୁଡିକ ପକ୍ଷରୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି। ସର୍ବାଧିକ ପଦ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ରାଜସ୍ବ, ଗୃହ ଏବଂ ପଞ୍ଚାୟତିରାଜ ବିଭାଗରେ ପଡିଛି। ସ୍ବାସ୍ଥ୍ୟସେବା ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଉ ଥିବାବେଳେ ଏସବୁ ବିଭାଗରେ ପଦ ଖାଲି ପଡିବା ନିଶ୍ଚିତ ଚିନ୍ତାଜନକ। ବିଭାଗଗୁଡିକର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି, ବଜେଟ ଅନୁଦାନ ଅର୍ଥ ଖର୍ଚ୍ଚ, ରାଜସ୍ବ ସଂଗ୍ରହ ଏବଂ ନିଯୁକ୍ତି ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗର ତଥ୍ୟାନୁଯାୟୀ, ଗତ ଜୁଲାଇ ଶେଷ ସୁଦ୍ଧା ବିଭିନ୍ନ ବିଭାଗରେ ମୋଟ ୧ ଲକ୍ଷ ୧୮ହଜାର ୯୨୩ଟି ପଦ ଖାଲି ପଡିଥିଲା। ସେଥିମଧ୍ୟରୁ ୫୦ ହଜାର ୪୬୯ଟି ପଦ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ୬୦ ହଜାର ୪୫୪ଟି ପଦ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ; କିନ୍ତୁ ଏ ବର୍ଷ ଡିସେମ୍ବର ୩୧ସୁଦ୍ଧା ସମସ୍ତ ବିଭାଗରୁ ଅନେକ କର୍ମଚାରୀ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଫଳରେ ବିଭାଗଗୁଡିକରେ ଆହୁରି ପଦ ଖାଲି ପଡିବ। ଏହି ସଂଖ୍ୟା ୧ ଲକ୍ଷ ୨୯ ହଜାର ୨୨୭ ଛୁଇଁବ। ଖାଲି ପଡିବାକୁ ଯାଉଥିବା ପଦଗୁଡିକ ମଧ୍ୟରୁ ୯୮ହଜାର ୭୫ଟି ପୂରଣ କରିବାକୁ ନିଯୁକ୍ତି ଅନୁମୋଦନ କମିଟିରେ ନିଷ୍ପତ୍ତି ନିଆଯାଇଛି। ଯେଉଁ ପଦଗୁଡିକ ଖାଲି ରହିବ ନିଯୁକ୍ତି ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୫୦ ହଜାର ୯୧୧ ଶିକ୍ଷକ ଓ ଅଣଶିକ୍ଷକ ପଦ ୩୯ ହଜାର ୮୭୦ଟି ପଦ ପୂରଣ କରାଯିବ।

Leave A Reply

Your email address will not be published.