୧୮୭୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଉତ୍କଳର ଯୋଗଜନ୍ମା ସାଧକ, ଦରିଦ୍ରର ବନ୍ଧୁ, ବନ୍ୟା, ଦୁର୍ଭିକ୍ଷ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିବା ଓଡ଼ିଶାବାସୀଙ୍କ ପାଇଁ ରାହା ବନିଥିବା ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ। ପିତା ଦୈତ୍ୟାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳମଣ୍ଡନ କରି ଜନ୍ମ ନେଇଥିବା ଏହି ମହାନ ଦେଶଭକ୍ତ, ଭାଷାପ୍ରେମୀଙ୍କ ଆବିର୍ଭାବ ସତେ ଯେପରି ପରାଧୀନ ଉତ୍କଳରେ ଆଣିଥିଲା ସୂେର୍ଯ୍ୟାଦୟ ସହ ଅନ୍ୟ ଏକ ତେଜଦୀପ୍ତ ଜ୍ୟୋତିର ଆଭା। ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ଜନ୍ମିତ ଏହି ମହାତ୍ମାଙ୍କ ସ୍ବଳ୍ପ ଜୀବନ କାଳର କଠିନ, ତଥା ଅବିଶ୍ବସନୀୟ ଦୁଃଖଦ ଘଟଣାବଳୀ ଆଲୋଚନା କଲେ ସେ ଯେ ଜନ୍ମରୁ ଦୁଃଖୀ ଥିଲେ ଏହା ସ୍ପଷ୍ଟ ହୋଇଥାଏ। ସେ ଜନ୍ମରୁ ଦୁର୍ବଳ ଥିଲେ। ହେଲେ ଏହି ଦୁର୍ବଳ ଶିଶୁଟିକୁ ବେଶି ଦିନ ଯାଏ ନିଜର ସ୍ନେହ, କରୁଣା ଦେଇପାରିନଥିଲେ ମାତା ସ୍ବର୍ଣ୍ଣମୟୀ। ପୁତ୍ର ଜନ୍ମ ଦେବା ପରେ ସେ ଅସୁସ୍ଥ ହୋଇପଡ଼ିଲେ ଓ ମାତ୍ର କେତୋଟି ଦିନ ଭିତରେ ନିଜର ପ୍ରାଣପ୍ରିୟ ଦୁର୍ବଳ ଶିଶୁଟିକୁ ଛାଡ଼ି ଆରପାରିକୁ ଚାଲିଗଲେ। ଅନାଥ ଗୋପବନ୍ଧୁଙ୍କୁ ନିଜ କୋଳକୁ ଉଠାଇ ନେଇ ବଞ୍ଚାଇଲେ ପିତାଙ୍କ ବାଲ୍ୟ ବିଧବା ଭଉଣୀ କମଳା ଦେବୀ। କେବଳ ଏତିକିରେ ଗୋପବନ୍ଧୁଙ୍କ ଦୁଃଖ ସରିନଥିଲା। ପରେପରେ କୈେଶାରରେ ତାଙ୍କ ପିତା ଦୈତ୍ୟାରୀଙ୍କ ପରଲୋକ ଘଟିଥିଲା। ପରେ ଭାଇ ନାରାୟଣଙ୍କର ପରଲୋକ, ତରୁଣ ବୟସରେ ଏକମାତ୍ର ପୁତ୍ର ଓ ପତ୍ନୀଙ୍କ ବିୟୋଗ ଭଳି ଦାରୁଣ ଦୁଃଖ ତାଙ୍କୁ ସହିବାକୁ ପଡ଼ିଥିଲା।
ହେଲେ ଏତେ ସବୁ କଷ୍ଟ ତାଙ୍କୁ ନିଜର ଲକ୍ଷ୍ୟ ପଥରୁ ଦୂରେଇ ପାରି ନଥିଲା। ସାରା ଜୀବନ ଦୁଃଖ ମଧ୍ୟରେ ଘାଣ୍ଟି ହୋଇଥିବା ଏହି ମହାମାନବଙ୍କ ପାଇଁ ସତେ ଯେପରି ସାରା ଓଡ଼ିଶାର ଦୁର୍ଗତ, ଅସହାୟ, ବୁଭୁକ୍ଷିତ ଲୋକେ ଥିଲେ ଅତି ଆତ୍ମୀୟ, ପରିବାରର ସଦସ୍ୟ ଭଳି। ଆଜୀବନ ସେ ସେହି ଲୋକମାନଙ୍କ ପାଇଁ ଲଢ଼େଇ କରିଥିଲେ। ଜୀବନର ସବୁକିଛି ଅର୍ପଣ କରିଥିଲେ। ସେବା ହିଁ ଥିଲା ତାଙ୍କ ଧର୍ମ ଓ କର୍ମ ଥିଲା ପରାଧୀନତାରୁ ମୁକ୍ତି ପାଇଁ ସଂଗ୍ରାମ ଓ ସମାଜର ବିକାଶ। ଦୁର୍ଗତକୁ ଦେଖିଲେ ତାଙ୍କ ଆଖିରୁ ଝରୁଥିଲା ଅବାରିତ ଲୁହ ଝରୁଥିଲା।
ତାଙ୍କର ଘଟଣା ବହୁଳ ମାତ୍ର ୫୧ ବର୍ଷର ସ୍ବଳ୍ପ ଜୀବନ କାଳ କିପରି କଟିଥିଲା ସେ ବିଷୟରେ ପର୍ଯ୍ୟାଲୋଚନା କଲେ ଏହି ଦେଶପ୍ରେମୀ ସେବକଙ୍କ ଜୀବନର ଅନେକ ନିଷ୍ଠାପର କାର୍ଯ୍ୟର ଚିତ୍ର ଉଦ୍ଭାସିତ ହୋଇଥାଏ। ଛାତ୍ର ଜୀବନର କଥା। ସେ ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ହଇଜା ଲାଗି ଶହଶହ ଲୋକ ମୃତ୍ୟୁବରଣ କରି ଏଣେତେଣେ ରାସ୍ତାକଡ଼ରେ ପଡ଼ିଥିବା ଓ ହଜାରହଜାର ଲୋକ ଆକ୍ରାନ୍ତ ହେବା ଦେଖିଥିଲେ। ମୃତ ବ୍ୟକ୍ତିଙ୍କ ଶବ ଏଣେତେଣେ ପଡ଼ି ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ୁଥିଲା। ସେ ସମୟରେ ‘ପୁରୀ ସେବା ସମିତି’ ଗଠନ କରି ନିଜେ କେତେଜଣ େସ୍ବଚ୍ଛାସେବୀଙ୍କ ସହ ପ୍ରାୟ ୧୭ ଦିନ କାଳ ସବୁ ଶବ ପୋଡ଼ିବା ଥିଲା ତାଙ୍କ ସେବା କାର୍ଯ୍ୟର ଏକ ବିରଳ ଚିତ୍ର।