ତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଓଏଚ୍ଆରସିଙ୍କ ନିର୍ଦେଶ

ଭୁବନେଶ୍ୱର : ରକ୍ଷଣାବେକ୍ଷଣ ଅଭାବ ଓ ମରାମତି ଅଭାବରୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସରବରାହ ଟାୱାରର ଇନସ୍ୟୁଲେଟର ଫାଟିଯିବା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ଆହତ ଆହତ ହୋଇଥିଲେ। ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ (ଓଏଚଆରସି) ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ଆହତଙ୍କୁ ୨ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରି ୪ମାସ ମଧ୍ୟରେ ବିବରଣୀ ଦାଖଲ କରିବାକୁ ନିର୍ଦେଶରେ ଉଲ୍ଲେଖ କରାଯାଇଛି।
ପ୍ରକାଶଯେ, ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ମାଛପଡା ଗ୍ରାମର ବୈଷ୍ଣବ ପାତ୍ର, ତାଙ୍କ ପୁଅ ମୋହନ (୧୮) ଓ ଭବାନୀଶଙ୍କର (୧୬) ଜୁଲାଇ ୩ ତାରିଖରେ ନିଜ ବିଲରେ ଥିବା ପରିବା ଚାଷ ଦେଖିବାକୁ ଯାଇଥିଲେ।  ଏହି ସମୟରେ ଜମି ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଲାଇନର ଇନସ୍ୟୁଲେଟର ଫାଟି ଯାଇଥିଲା। ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୈଷ୍ଣବ ଓ ବଡ ପୁଅ ମୋହନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ଭବାନୀ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ବିଦ୍ୟୁତ ସରବରାହ ସଂସ୍ଥା ଟିପିଏନଓଡିଏଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ଲାଗି ନିର୍ଦେଶ ଦେବାକୁ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର ଦାସ ରାଜ୍ୟ ମାନବାଧିକାର ଆେୟାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆୟୋଗ ଅଭିଯୋଗ ଗ୍ରହଣ କରି ମୟୁରଭଞ୍ଜ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବିଦ୍ୟୁତ ବିତରଣ ସଂସ୍ଥାକୁ ବିବରଣୀ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ବାରିପଦା ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଦାଖଲ କରିଥିବା ବିବରଣୀରେ ଦର୍ଶାଇଥିଲେଯେ, ବିଦ୍ୟୁତ ତାରରେ ପକ୍ଷୀ ମାଡ ହେବାରୁ ଦୁର୍ଘଟଣା ଘଟିଲା। ଏଥିରେ ସମ୍ପୃକ୍ତ ସଂସ୍ଥାର କୌଣସି ଭୂମିକା ନ ଥିବା ବିବରଣୀରେ ଉଲ୍ଲେଖ କରିଥିଲେ। ନିର୍ବାହୀ ଯନ୍ତ୍ରୀଙ୍କ ବିବରଣୀକୁ ଜିଲା ଆରକ୍ଷୀ ଅଧୀକ୍ଷକ ଠିକ ବୋଲି ଦର୍ଶାଇଥିଲେ। ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ବିବରଣୀ ଅନୁସାରେ ଇନସ୍ୟୁଲେଟର ଫାଟିବା ଫଳରେ ତାର ଛିଡି ଦୁର୍ଘଟଣା ଘଟିଛି। ଏଥିରେ କୌଣସି ପକ୍ଷୀ ମାଡ ହୋଇ ନାହିଁ କିମ୍ବା ସେମିତି କିଛି ପ୍ରମାଣ ନ ଥିବା ଦର୍ଶାଇଥିଲେ।   କନିଷ୍ଠ ଯନ୍ତ୍ରୀଙ୍କ ବିବରଣୀ ଓ ଗ୍ରାମବାସୀଙ୍କ ବୟାନକୁ ଭିତ୍ତିକରି ଦୁର୍ଘଟଣା ପାଇଁ ନେସ୍କୋ ଓ ବିତରଣକାରୀ ସଂସ୍ଥାର ଅବହେଳାକୁ ଆେୟାଗ ଦାୟୀ କରିଥିଲେ। ଦୁଇ ସଂସ୍ଥାର ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁ ଦୁଇଟି ମୂଲ୍ୟବାନ ଜୀବନ ହାନୀ ହେବା ସହ ଜଣେ ଗୁରୁତର ଆହତ ହୋଇଥିଲେ ବୋଲି ଆ​​‌ୟୋଗ ଉପଲବ୍ଧି କରି ଦୁଇ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ଆହତ ଭବାନୀଶଙ୍କରଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । କ୍ଷତିପୂରଣ ବାବଦ ଅର୍ଥ ଟିପିଏନଓଡିଏଲ ପ୍ରଦାନ କରିବ ବୋଲି ନିର୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.