ନୂଆ ରଣନୀତି ସହ ଓହ୍ଲାଇବ ରୋହିତ ସେନା

ପୁଣେ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଗୁରୁବାର ପୁଣେରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଯଦିଓ ଭାରତର ପଲ୍ଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ମଧ୍ୟ ରହିଛି।
ରୋହିିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ବାଂଲାଦେଶ ୩ଟି ମ୍ୟାଚ ଖେଳି ୨ଟି ପରାଜୟ ଓ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି। ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ଓ ତୃତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଦଳ ବ୍ୟାଟିଂ ଓ ବୋଲିଂରେ ବେଶ୍‌ ଶକ୍ତିଶାଳୀ ରହିଛି। ବ୍ୟାଟିଂରେ ରୋହିତ ଶର୍ମା,ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ ଭଲ ଫର୍ମରେ ରହିଛନ୍ତି। ଅଲ୍‌ରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଦାୟିତ୍ବ ତୁଲାଉଛନ୍ତି। ରୋହିତ ୩ଟି ମ୍ୟାଚରୁ ୨୧୭ରନ,ବିରାଟ କୋହଲି୧୫୬ରନ , ଲୋକେଶ ରାହୁଲ ୧୧୬ରନ କରିଛନ୍ତି। ​‌ପାକିସ୍ତାନ ବିପକ୍ଷରେ ଶୁବମାନ ଗିଲ୍‌ ଖେଳିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଆୟାର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ୫ଜଣ ବ୍ୟାଟିଂ ସ୍ପେଶାଲିଷ୍ଟକୁ ନେଇ ଖେଳିବ। ସେହିପରି ବୋଲିଂରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ,କୁଳଦୀପ୍‌ ଯାଦବ ଖେଳିବା ନିଶ୍ଚିତ ଥିବାବେଳେ ସାର୍ଦୁଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ସାମି କିମ୍ବା ରବିଚନ୍ଦ୍ରନ ଅଶ୍ବିନ ଖେଳିବା ନେଇ ଆଶା କରାଯାଉଛି। ବୁମ୍‌ର​‌ା ୩ଟି ମ୍ୟାଚରୁ ୮ଟି, ହାର୍ଦିକ ପାଣ୍ଡ୍ୟା ୫ଟି, ସିରାଜ ୫ଟି ୱିକେଟ ମଧ୍ୟ ନେଇଛନ୍ତି। ବାଂଲାଦେଶ ବିପକ୍ଷରେ ଦଳ ବିଜୟ ଧାରାକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଉକ୍ତ ମ୍ୟାଚ ପାଇଁ ଭାରତ ନୂତନ ରଣନୀତି ପ୍ରସ୍ତୁତ କରିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି।

Leave A Reply

Your email address will not be published.