ପିପିଲି ଟୋଲ୍‌‌ଗେଟ୍‌‌ରେ ଫାଙ୍କା ଗୁଳିଚାଳନା

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣା ସ୍ଥିତ ପିପିଲି ଟୋଲ୍‌‌ ପ୍ଲାଜା ଠାରେ ଗୁରୁବାର ଭୋର ସମୟରେ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା ହୋଇଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଗୁଳି ଫୁଟାଇଥିବା ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏହି ଘଟଣାଟି ପିପିଲି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଟୋଲଗେଟ୍‌‌ କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳିଯାଇଛି।
ସୂଚନା ଅନୁଯାୟୀ , ଗୁରୁବାର ଭୋର ୫ଟା ସମୟରେ ଭୁବନେଶ୍ୱର ଦିଗରୁ ଏକ କାର୍‌‌ ପିପିଲି ଟୋଲ୍‌‌ ପ୍ଲାଜା ଠାରେ ପହଞ୍ଚିଥିଲା। ଟୋଲ୍‌‌ଗେଟ୍‌‌ରେ କାର୍‌‌ ପହଞ୍ଚିବା ପରେ ସେଠାରେ କାର୍ଯ୍ୟରତ କର୍ମଚାରୀ ଟୋଲ୍‌‌ ଟିକସ ମାଗିଥିଲେ। କାର୍‌‌ର ଫାଷ୍ଟଟ୍ୟାଗ୍‌‌ ଥିବା ସଂପର୍କରେ କାର୍‌‌ରେ ଥିବା ଯୁବକମାନେ କହିଥିଲେ। ତେବେ କାର୍‌‌ର ଫାଷ୍ଟଟ୍ୟାଗ୍‌‌ ରେ ରିଚାର୍ଜ ସରିଯାଇଥିବାରୁ ଫାଷ୍ଟଟ୍ୟାଗ୍‌‌ ରିଚାର୍ଜ କରିବାକୁ କର୍ମଚାରୀ ସେମାନଙ୍କୁ ପରାମର୍ଶ ଦେଇଥିଲା। ପରେ ସେମାନେ ଫାଷ୍ଟଟ୍ୟାଗ୍‌‌ ରିଚାର୍ଜ କରିଥିବା ବେଳେ ତତ୍‌‌କ୍ଷଣାତ୍‌‌ ଅପ୍‌‌ଡେଟ୍‌‌ ନହେବା କାରଣରୁ ଟୋଲ୍‌‌ଗେଟ୍‌‌ର ଫାଟକ ଉଠିନଥିଲା। ଏହାକୁ ନେଇ କାର୍‌‌ରେ ଥିବା ଯୁବକ ମାନେ ଟୋଲଗେଟ୍‌‌ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଟିକସ ଦେଇ ଯିବାକୁ କର୍ମଚାରୀ ଜଣକ ସେମାନଙ୍କୁ ବାରମ୍ବାର ବୁଝାଇବା ପରେ ଶେଷରେ ସେମାନେ ଟିକସ ପଇଠ କରି ଉକ୍ତ କାର୍‌‌କୁ ଟୋଲଗେଟ୍‌‌ ଫାଟକ ଆଗକୁ ନେଇଥିଲେ। ହଠାତ୍‌‌ କାର୍‌‌ରୁ ଜଣେ ଯୁବକ ଓହ୍ଲାଇ ହାତରେ ଏକ ରିଭରବଲ ଧରି ସେଠାରେ ଉପରକୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ଏଥିରେ ଭୟଭିତ ହୋଇ ସେଠାରେ ଡ୍ୟୁଟି କରୁଥିବା କିଛି କର୍ମଚାରୀ ଦଉଡି ପଳାଇଥିଲେ। ପରେ ଉକ୍ତ ଯୁବକ ଜଣକ ଟୋଲଗେଟ୍‌‌ ପାଖକୁ ଆସି ପୂର୍ବରୁ ଯୁକ୍ତି କରିଥିବା କର୍ମଚାରୀଙ୍କ ମୁଣ୍ଡ ଓ ଛାତିରେ ରିଭରବଲ ଲଗାଇ ନାନା ଧମକଚମକ ଦେବା ସହ ସେଠାରେ ପୁନର୍ବାର ଆଉ ଏକ ଫାଙ୍କା ଗୁଳିଚାଳନା କରିଥିଲା। ପରେ ଯୁବକ ଜଣକ କାର୍‌‌ରେ ବସି ସେଠାରୁ ଫେରାର୍‌‌ ହୋଇଯାଇଥିଲା। ଖବର ପାଇ ପିପିଲି ପୁଲିସ ଉକ୍ତ କାର୍‌‌ ସମେତ ଗୁଳିଚାଳନା କରିଥିବା ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.