ନବଜାତ ଶିଶୁଙ୍କ ଜୀବନ ରକ୍ଷାରେ ଓଡ଼ିଶା ପ୍ରଥମ, ଲକ୍ଷ୍ୟ ‘ଶୂନ୍ୟ ଶିଶୁମୃତ୍ୟୁ’

ଭୁବନେଶ୍ୱର: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ତେଣୁ ଶୈଶବକୁ ସୁରକ୍ଷିତ କରିବା ଦିଗରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରତ୍ୟେକ ଜୀବନ ରକ୍ଷା ଦିଗରେ କ୍ରମାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ପ୍ରଶଂସା କରି ଚାଲିଛନ୍ତି। ଓଡ଼ିଶାର ପଦକ୍ଷେପକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିବାରେ ଲାଗିଛି। ଏହି କ୍ରମରେ ନ୍ୟୁ ବର୍ଣ୍ଣ ଷ୍ଟାବିଲାଇଜେସନ୍‌‌ ୟୁନିଟ୍‌‌ (ଏନ୍‌‌ବିଏସ୍‌‌ୟୁ) ଜରିଆରେ ଗୁରୁତର ନବଜାତଙ୍କ ଜୀବନ ରକ୍ଷା କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି। ସେହିପରି ଏନ୍‌‌ବିଏସ୍‌‌ୟୁ ସଂକ୍ରାନ୍ତ ତଥ୍ୟ ପ୍ରଦାନରେ ମଧ୍ୟ ଓଡ଼ିଶା ଆଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଏନ୍‌‌ବିଏସ୍‌‌ୟୁ ବ୍ୟବହାର ନେଇ ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡ଼ିଶା ଉଦାହରଣ ସୃଷ୍ଟି କରିବା ସହ ଶୂନ୍ୟ ଶିଶୁ ମୃତ୍ୟୁ ହାର ଲକ୍ଷ୍ୟ ହାସଲ ନିମନ୍ତେ ଅନ୍ୟ ରାଜ୍ୟକୁ ଅନୁପ୍ରାଣିତ କରିଛି।

ରାଜ୍ୟ ସରକାରଙ୍କ ଏହି ସଫଳତା ନିମନ୍ତେ ନୂଆଦିଲ୍ଳୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ବିଭିନ୍ନ କାରଣ ପାଇଁ ନବଜାତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥାଏ। କମ ସମୟ ମଧ୍ୟରେ ସେମାନଙ୍କୁ ଅତ୍ୟାଧୁନିକ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ବିଶେଷକରି କମ୍‌‌ ଓଜନ, ଅପରିପକ୍ୱ କିମ୍ବା ଅନ୍ୟ କୌଣସି ଗୁରୁତର ରୋଗ ସହିତ ଜନ୍ମ ନେଇଥିବା ଶିଶୁ ପାଇଁ ଉନ୍ନତ ଚିକିତ୍ସା ଜରୁରୀ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌‌ (ଏନ୍‌‌ଏଚ୍‌‌ଏମ୍‌‌) ଅଧୀନରେ ସବୁ ରାଜ୍ୟରେ ଏନ୍‌‌ବିଏସ୍‌‌ୟୁ ବ୍ୟବସ୍ଥା ଆରମ୍ଭ କରିଥିଲେ। ନବଜାତଙ୍କ ଜୀବନ ରକ୍ଷା ଦିଗରେ ଏନବିଏସ୍‌‌ୟୁ ଅତ୍ୟନ୍ତ ଉପାଦେୟ ହୋଇଥିଲେ ସୁଦ୍ଧା ଅନେକ ରାଜ୍ୟ ଏହାର ବ୍ୟବହାର ପାଇ ପଛଘୁଞ୍ଚା ଦେଉଥିଲେ।

Umasankar Adv
gpkandhamal

ଆତ୍ମବିଶ୍ୱାସର ଅଭାବ, ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ଯୋଗୁ ଏନ୍‌‌ବିଏସ୍‌‌ୟୁ ନିଜ ଉଦ୍ଦେଶ୍ୟ ଠାରୁ ଦୂରେଇ ଯାଇଥିଲା। ତେବେ ଶୂନ୍ୟ ମାତୃ ଓ ଶୂନ୍ୟ ଶିଶୁ ମୃତ୍ୟୁ ଲକ୍ଷ୍ୟ ନେଇ କାମ କରୁଥିବା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଥିଲା। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏନ୍‌‌ବିଏସ୍‌‌ୟୁ କେତେ ଉପାଦେୟ ହୋଇପାରୁଛି ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଗଲା। ପ୍ରମୁଖ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ଏନ୍‌‌ବିଏସ୍‌‌ୟୁ ସ୍ଥାପନ ହେଲା। ଶେଷରେ ରାଜ୍ୟ ସରକାରଙ୍କର କ୍ରମାଗତ ଉଦ୍ୟମ ସଫଳତା ହାସଲ କରିଛି। ମମତା ଯୋଜନାଠାରୁ ଆରମ୍ଭ କରି ଜନନୀ, ଶିଶୁ ସୁରକ୍ଷା ସହିତ ଏନ୍‌‌ବିଏସ୍‌‌ୟୁ ଭଳି ବ୍ୟବସ୍ଥା ଗୁରୁତର ଶିଶୁଙ୍କ ଜବୀନ ରକ୍ଷା କରିବାରେ ବେଶ୍‌‌ ସଫଳତା ମିଳିଛି। ୨୦୦୧ ବେଳକୁ ପ୍ରତି ୯% ନବଜାତ ମୃତ୍ୟୁବରଣ କରୁଥିଲେ।

୧ ହଜାର ଜୀବିତ ପ୍ରସବରେ ୯୩ ଜଣଙ୍କ ମୃତ୍ୟୁ ହେଉଥିଲା। ମାତ୍ର ଗତ ୧୦ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାର ଆଶାତୀତ ଭାବେ ହ୍ରାସ ପାଇଛି। ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି। ୨୦୧୮ ବେଳକୁ ପ୍ରତି ୧ ହଜାର ପ୍ରସବରେ ମୃତ୍ୟୁ ସଂଖ୍ୟା ୪୦ ରହୁଥିବା ବେଳେ ୨୦୨୨ ବେଳକୁ ଏହା ୩୬କୁ ହ୍ରାସ ପାଇଛି। ସମ୍ପୂର୍ଣ୍ଣା ଯୋଜନା ପ୍ରଚଳନ, ସ୍ପେଶାଲ କେୟାର ନ୍ୟୁ ବର୍ଣ୍ଣ ୟୁନିଟ୍‌‌ (ଏସ୍‌‌ଏନ୍‌‌ଏସିୟୁ) କାର୍ଯ୍ୟକ୍ଷମ, ଫାଷ୍ଟ ରେଫରାଲ ୟୁନିଟ୍‌‌, କଙ୍ଗାରୁ ମଦର କେୟାର ୟୁନିଟ୍‌‌ ଆଦି ସ୍ଥାପନ, ଭାରତ ସରକାରଙ୍କ ଲକ୍ଷ୍ୟ ମାନଦଣ୍ଡ ଅନୁସାରେ ପ୍ରସବ ଗୃହ ଓ ଅସ୍ତ୍ରୋପଚାର ଗୃହର ଉନ୍ନତିକରଣ କରି ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ଅପରପକ୍ଷେ ରକ୍ତହୀନତା ଓ ପୁଷ୍ଟି ହୀନତା ଦୂର ପାଇଁ ପଦକ୍ଷେପ, ବିସ୍ତୃତ ଡାଇରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ନିମୋନିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ଶିଶୁଙ୍କୁ ଏକ ସୁସ୍ଥ ଜୀବନଦାନ ଦେଉଛି। ଯାହା ରାଜ୍ୟକୁ ଦେଶରେ ଉଦାହରଣୀୟ କରିପାରିଛି।

Leave A Reply

Your email address will not be published.