ରାଜ୍ୟରେ ଟ୍ରାଫିକ ସମସ୍ୟା ଓ ସଡ଼କ ନିରାପତ୍ତା ବ୍ୟବସ୍ଥାରେ ସୁଧାର ପାଇଁ ଏଣିକି ‘ପୂର୍ଣ୍ଣକାଳୀନ ସ୍ୱତନ୍ତ୍ର ଟ୍ରାଫିକ୍ ୱିଙ୍ଗ’ କାର୍ଯ୍ୟ କରିବ । ଯାହାକି ସିଧାସଳଖ ପୁଲିସ ଡିଜିଙ୍କ ଅଧୀନରେ ରହିବ । ସେହିପରି ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ ନିମନ୍ତେ ସାଇବର ଥାନା ସଂଖ୍ୟାକୁ ୩୪କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବିଜେଡି ଶାସନ ସମୟରେ ପଡ଼ି ରହିଥିବା ପ୍ରସ୍ତାବ ପ୍ରାୟ ସାଢ଼େ ୫ବର୍ଷ ପରେ ମୋହନ ମାଝୀଙ୍କ ସରକାରଙ୍କ ଅନୁମୋଦନ ଲାଭ କରିଛି । ସ୍ୱତନ୍ତ୍ର ଟ୍ରାଫିକ ୱିଙ୍ଗ ନିମନ୍ତେ ଅତିରିକ୍ତ ୧୯୯୬ଟି ନୂଆ ପଦବୀ ଏବଂ ରାଜ୍ୟରେ ଅଧିକ ୨୦ଟି ସାଇବର ଥାନା ନିମନ୍ତେ ଅତିରିକ୍ତ ୯୮୭ଟି ନୂଆ ପଦବୀକୁ ବୁଧବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଣିକି ସାଇବର ଥାନା ପୂର୍ଣ୍ଣକାଳୀନ କର୍ମଚାରୀ ସହ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବୁଧବାର ଏହି ନୂଆ ପଦବୀ ସୃଷ୍ଟି ସମ୍ପର୍କରେ ବିଧିବଦ୍ଧ ଭାବେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅବଗତ କରାଯାଇଛି ।
ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗ୍

ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ‘ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗ’ ଏକ ରାଜ୍ୟସ୍ତରୀୟ ୱିଙ୍ଗ ହେବ । ଯାହା ସିଧାସଳଖ ପୁଲିସ ଡିଜିଙ୍କ ଅଧୀନରେ କାର୍ଯ୍ୟ କରିବ । ଏହି ୱିଙ୍ଗର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରାଜପଥ ପାଟ୍ରୋଲିଂ, ଭୁବନେଶ୍ୱରସ୍ଥିତ ଅର୍ବାନ ପୁଲିସ ଆଣ୍ଡ ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର, ଇର୍ମଜେନ୍ସ ରେସପନ୍ସ ଆଣ୍ଡ ସର୍ପୋଟ ସିଷ୍ଟମ(ଇଆରଏସଏସ) ଏବଂ ପବ୍ଲିକ ସେଫଟି ଆନସିରିଂ ପଏଂଟ(ପିଏସଏପି) ରହିବ । ଏହାସହିତ ସମ୍ପୃକ୍ତ ୱିଙ୍ଗ ସମଗ୍ର ରାଜ୍ୟରେ ଟ୍ରାଫିକ ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱରେ ରହିବ । ଜରୁରୀକାଳୀନ ସେବା ଓ ସହାୟତା ପ୍ରଦାନ କରିବା ସହ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନୀତି ଓ ଅନୁପାଳନ, ସଡ଼କ ନିରାପତ୍ତା,ଉନ୍ନତମାନର ଉପକରଣ ଓ ଜ୍ଞାନକୌଶଳର ଉପଯୋଗ, ବିଭିନ୍ନ ଏନଜିଓ ଓ ଗୋଷ୍ଠୀ ସହ ମିଶି ସାଧାରଣ ସଚେତନତା ସୃଷ୍ଟି ଆଦି ଏହି ୱିଙ୍ଗର କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି ।
୧୯୩୦ଟି ନୂଆ ପଦବୀ ସହ ମୋଟ ୩୬୯୫ଟି ପଦବୀ
ରାଜ୍ୟ ସରକାର ବୁଧବାର ମୋଟ ୧୯୯୬ଟି ନୂଆ ପଦବୀକୁ ଅନୁମୋଦନ କରିଛନ୍ତି । ଏଥିରେ ୬୬ଟି ପ୍ରଶାସନିକ ଓ ମିନିଷ୍ଟ୍ରିଆଲ ପଦବୀ ରହିଛି । ଏହି ଟ୍ରାଫିକ ୱିଙ୍ଗରେ ପୂର୍ବରୁ ମାତ୍ର ଜଣେ ଡିଏସପି ପାହ୍ୟାର ଅଫିସର ପଦବୀକୁ ଅନୁମୋଦନ ମିଳିଥିବାବେଳେ ଏବେ ଆଉ ୫ଟି ଏହି ପାହ୍ୟାର ଅଫିସର ପଦବୀ ସୃଷ୍ଟି ହୋଇଛି । ନୂତନ ଭାବେ ଅନୁମୋଦନ ପାଇଥିବା ୧୯୩୦ଟି ପଦବୀ ମଧ୍ୟରେ ୫ଟି ଡିଏସପି, ୪୧ଟି ଇନ୍ସପେକ୍ଟର, ୮୩ଟି ଏସଆଇ, ୮୩ଟି ଏଏସଆଇ, ୩୧୦ଟି ହାବିଲଦାର ଓ ୧୪୦୮ଟି କନେଷ୍ଟବଳ ସାମିଲ ଅଛନ୍ତି । ପୂର୍ବରୁ ଏହି ଟ୍ରାଫିକ ୱିଙ୍ଗ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁନଥିଲେ ମଧ୍ୟ ଏଥିରେ ମଞ୍ଜୁରୀପ୍ରାପ୍ତ ୧୭୬୫ଟି ପଦବୀ ରହିଛି । ଏହି ସ୍ୱତନ୍ତ୍ର ‘ଟ୍ରାଫିକ ୱିଙ୍ଗ’ର ବିଶେଷକରି ଭୁବନେଶ୍ୱର ଓ କଟକରେ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପାଇବେ । ଭୁବନେଶ୍ୱରରେ ଅଧିକ ୬୮ଟି ଓ କଟକରେ ୨୮ଟି ପଦବୀକୁ ଅନୁମୋଦନ ମିଳିଛି । ଫଳରେ ଭୁବନେଶ୍ୱରରେ ଟ୍ରାଫିକ କର୍ମଚାରୀଙ୍କ ସଂଖ୍ୟା ୫୨୦ ଓ କଟକରେ ୨୪୨କୁ ବୃଦ୍ଧି ପାଇବ । ସମ୍ବଲପୁର ଓ ହୀରାକୁଦରେ ଜଣେ ଲେଖାଏଁ ଡିଏସପି ପାହ୍ୟାର ଅଫିସର ଟ୍ରାଫିକ ଦାୟିତ୍ୱରେ ମୁତୟନ ହେବେ । ୨୦୨୦ ମସିହାରୁ ସ୍ୱତନ୍ତ୍ର ଟ୍ରାଫିକ ୱିଙ୍ଗ ଗଠନ ଓ ଅଧକ କର୍ମଚାରୀ ନିଯୁକ୍ତି ପ୍ରସ୍ତାବ ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇଁ ଗୃହ ବିଭାଗରେ ପଡ଼ିରହିଥିଲା ।
୨୦ଟି ଅଧିକ ସାଇବର ଥାନା ଓ ଅତିରିକ୍ତ ୯୮୭ଟି ପଦବୀକୁ ମଞ୍ଜୁରୀ
ରାଜ୍ୟରେ ୧୪ଟି ସାଇବର ଥାନା କାର୍ଯ୍ୟ କରୁଥିବାବେଳେ ଅଧିକ ୨୦ଟି ସାଇବର ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ମୋଟ ୩୪ଟି ସାଇବର ଓ ଅର୍ଥନୀତିକ ଅପରାଧ ଥାନା ପାଇଁ ୯୮୭ଟି ନୂଆ ପଦବୀ ସୃଷ୍ଟିକୁ ଅନୁମୋଦନ ମିଳିଛି । ଏବେ ମାତ୍ର ୧୬୮ଜଣ କର୍ମଚାରୀଙ୍କୁ ନେଇ ଏହି ସାଇବର ଥାନାଗୁଡ଼ିକ କାର୍ଯ୍ୟକ୍ଷମ ହେଉଛି । ତେବେ ନୂଆ ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ବିଭିନ୍ନ ପାହ୍ୟାର ୯୮୭ଟି ଅତିରିକ୍ତ ପଦବୀକୁ ମଞ୍ଜୁରୀ ଦେଇଛନ୍ତି ଫଳରେ ମୋଟ ଅନୁମୋଦିତ ପଦବୀ ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିରେ ୬୮ଜଣ ଆଇଟି ବିଶେଷଜ୍ଞ, ୪୮ଜଣ ସାଇବର ଫୋରେନ୍ସିକ ବିଶେଷଜ୍ଞ ଓ ୪୮ଟି ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ୨୦୨୧ ମସିହାରୁ ଏହି ଅଧିକ କର୍ମଚାରୀ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଗୃହ ବିଭାଗରେ ପଡ଼ି ରହିଥିଲା ।
ସଡ଼କ ଦୁର୍ଘଟଣା ଓ ମୃତ୍ୟୁ
ରାଜ୍ୟରେ ଉଦବେଗଜନକ ଭାବେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୨୦୨୫ ଜାନୁୟାରୀ ମାସରେ ମୋଟ ୯୯୪ଟି ସଡ଼କ ଦୁର୍ଘଟଣାରେ ୪୧୭ଜଣଙ୍କ ମୃତ୍ୟୁ ହୋଇଥିଲା । ସରକାରୀ ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ମୋଟ ୧୬୨୮୭ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ୨୦୨୧ରେ ୫୦୮୧ଜଣ, ୨୦୨୨ରେ ୫୪୬୭ଜଣ ଓ ୨୦୨୩ରେ ୫୭୩୯ଜଣ ଏବଂ ୨୦୨୪ ଜାନୁୟାରୀରୁ ନଭେମ୍ବର ମାସ ମଧ୍ୟରେ ମୋଟ ୫୫୬୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬୮୩୧ଟି ସଡ଼କ ଦୁର୍ଘଟଣାରେ ୨୭୧୬୭ଜଣଙ୍କ ମୃତ୍ୟୁ ଓ ୫୦୦୪୧ଜଣ ଆହତ ହୋଇଥିବା ସୂଚନା ମିଳିଛି । ୨୦୨୪ରେ ସମଗ୍ର ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହାରାହାରି ୩୭ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪୯.୬ ପ୍ରତିଶତ ରେକର୍ଡ ହୋଇଥିଲା ବୋଲି ସଡ଼କ ଓ ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।