ଚଳଚଞ୍ଚଳ ହେଲାଣି ରଥ ଖଳା, ଘୋଷଯାତ୍ରା ଲାଗି ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ

ଶ୍ରୀମନ୍ଦିର : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । କଳି ଯୁଗରେ ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ ନୌକା ବିହାର କରିଥାନ୍ତି । ତେବେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରେ ଦ୍ଵି ପ୍ରହର ଧୂପ ସରିବା ପରେ ଠାକୁରମାନେ ବିମାନକୁ ବିଜେ କରିଥିଲେ । ଅପରାହ୍ନ ୪ଟାରେ ରଥ ଖଳାକୁ ଆଜ୍ଞାମାଳ ବିଜେ ସହ ବିମାନ ଉଠିଥିଲା । ତିନି ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ଖଳାରେ ପହଁଚିବା ପରେ ତିନି ରଥର ତିନି ମୁଖ୍ୟ ବିଶ୍ବକର୍ମାଙ୍କୁ ପ୍ରଦାନ କରିଥିଲେ । ଏହାପରେ ସୁବର୍ଣ୍ଣ ବେଣ୍ଟ  ଯୁକ୍ତ କୁରାଢି  ଦ୍ଵାରା ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଏସପି ବିନୀତ ଅଗ୍ରୱାଲ, ଛତିଶା ନିଯୋଗ ମହାନାୟକ , ବରିଷ୍ଠ ସେବାୟତ ଉପସ୍ଥିତ ରହି ରଥ କାଠ ନିକଟରେ ପ୍ରଣିପାତ କରିଥିଲେ । ରଥ ଖଳାରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ରଥ ନିର୍ମାଣ ଅନୁକୂଳ ପରେ ବାଦ୍ୟ, କାହାଳୀ, ସଙ୍କୀର୍ତ୍ତନ ଓ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାଇଥିଲେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରିଥିଲେ। ଚନ୍ଦନ ଯାତ୍ରା ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟାରୁ ଜୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ। ଏହାରି ମଧ୍ୟରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଓ ଭିତରେ ଚନ୍ଦନ ଯାତ୍ରା ୨୧ ଦିନ । ମଣିଷଙ୍କ ପରି ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଶରୀରକୁ ଶୀତଳତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି । ପ୍ରତ୍ୟେକ ଦିନ ଦୁଇ ଥର ଅର୍ଥାତ୍ ଥରେ ଦିନ ଚାପ ଓ ଥରେ ରାତି ଚାପ ହୋଇଥାଏ । ନୌକା ବିହାର କରି ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ ମନ୍ସ ଓ କୁଣ୍ଡରେ ପୁନଃ ସ୍ନାନ କରି ଜଳକ୍ରୀଡା କରିଥାନ୍ତି । ପରେ ମାଣ୍ଡୁଅ,କାକରା , ନାନମାଳ ବା କେଳି , ରସାବଳି ପଟ ଇତ୍ୟାଦି ଭୋଗ କରାଯାଇଥାଏ । ଅକ୍ଷୟ ତୃତୀୟା ତିଥିରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ତଥା ଚନ୍ଦନ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡ଼ିଥିଲା । ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଲୋକ ମହାପ୍ରଭୁଙ୍କ ନୌକା ବିହାର ଦେଖିବା ପାଇଁ ଏକତ୍ରିତ ହୋଇଥିଲେ । ତିଥି ଅନୁଯାୟୀ ଦିନ ଚାପ ଓ ଜଳକ୍ରୀଡା ପରେ ମଦନ ମୋହନ ବିଭିନ୍ନ ବେଶ ଅର୍ଥାତ୍ ନଟବର, ରାଜାଧିରାଜ,ନଟବର, ନାବକେଳୀ, ରାସ ମଣ୍ଡଳୀ ଇତ୍ୟାଦି ବେଶ ହୋଇଥାନ୍ତି । ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଚଳଚଞ୍ଚଳ ହେଲାଣି ରଥ ଖଳା । ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣରେ ଲାଗିପଡ଼ିଲେଣି ରଥ ନିର୍ମାଣକାରୀ ସେବକ ।

Leave A Reply

Your email address will not be published.