ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଗ୍ରୋ ମଲ୍ ଖୋଲିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଅସନ୍ତୋଷ। ପ୍ରାୟ ୫୦ଲକ୍ଷ ଟଙ୍କା ବିନିମୟରେ ୨ ମହଲା ବିଶିଷ୍ଟ ଏହି ମଲ୍ ଠିଆ କରାଯାଇଥିବା ବେଳେ ଆହୁରି ୨୦ ଲକ୍ଷ ଖର୍ଚ୍ଚ କରାଯାଇ ବ୍ୟବସାୟୀ ପାଇଁ ସେଲ୍ଫ, ବ୍ୟାଞ୍ଚ ଆଦି ଶୋ’ ରୁମ୍ ବାବଦକୁ ଖର୍ଚ୍ଚ ପାଇଁ ଯୋଜନା କରାଯାଉଥିବା କୁହାଯାଉଛି କେବଳ ଉକ୍ତ କୋଠାରେ ଖର୍ଚ୍ଚ କରାଯାଇ ସାଜସଜ୍ଜା କରାଯାଇଥିଲେ ସୁଦ୍ଧା ତାହା କୃଷକମାନଙ୍କ କୌଣସି କାର୍ଯ୍ୟରେ ଆସୁନାହିଁ। କାହିଁକି ଏବଂ କାହାର ସ୍ବାର୍ଥ ପାଇଁ ବିଳମ୍ବ ତାହା ସ୍ପଷ୍ଟ କୁହାଯାଉନାହିଁ ଫଳରେ ଅଞ୍ଚଳରେ ପାରମ୍ପରିକ ଜଙ୍ଗଲ ଜାତୀୟ ଦ୍ରବ୍ୟ ହେଉ କି ପାରମ୍ପରିକ ଚାଷରୁ ଅଦା, ହଳଦୀ, ସୋରିଷ, ମାଣ୍ଡିଆ, କାଙ୍ଗୁ, କୁଏରୀ, ଆମ୍ବ, ଲିଚୁ, ଷ୍ଟ୍ରବେରୀ ଆଦି ବିକ୍ରିବଟା ପାଇଁ ସମସ୍ୟା ଦେଖାଯାଉଛି ଯେଉଁ ମହତ ଉଦ୍ଦେଶ୍ୟ ନେଇ କୋଠା ନିର୍ମାଣ କରାଯାଇଛି ତାହା କାର୍ଯ୍ୟରେ ଆସୁନାହିଁ। ପ୍ରକାଶ ଯେ, ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଏବଂ ଓଡ଼ିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ୍ ମାର୍କେଟିଂ ସୋସାଇଟି (ଓଆର୍ଏମ୍ଏଏସ୍)ପକ୍ଷରୁ ଏହି ବଜାର ବ୍ୟବସ୍ଥା କରାଯାଉଛି। ଖୁବ୍ଶୀଘ୍ର ପ୍ରଡ୍ୟୁସର ଗ୍ରୁପ ଚୟନ କରାଯାଇ ସେମାନଙ୍କୁ ଏହି ଏଗ୍ରୋ ମଲ୍ ଟିକୁ ହସ୍ତାନ୍ତର କରାଯିବ ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି। ସୂଚନାଯୋଗ୍ୟ, ଅଞ୍ଚଳରେ ଜଳର ଘୋର ଅଭାବ ସତ୍ତ୍ୱେ କୃଷକମାନେ ପାରମ୍ପରିକ ଚାଷ ସମେତ ଉଦ୍ୟାନ ଚାଷରୁ ଭଲ ଅମଳ କରନ୍ତି। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଆମ୍ବ, ଲିଚୁ, ଆଦି ଦାରିଙ୍ଗବାଡ଼ି ବ୍ୟବସାୟୀମାନେ ଆଣି ବିକ୍ରି କରୁଥିଲେ କିନ୍ତୁ ଏବେ ଆଉ ସେହି ସମୟ ନାହିଁ ବରଂ ଦାରିଙ୍ଗବାଡ଼ିରୁ ବିଭିନ୍ନ ପନିପରିବା ସମେତ ଆମ୍ବ, ଲିଚୁ, ଷ୍ଟ୍ରବେରୀ, ମିଠା ମକା ଆଦି ବାହାର ଜିଲାକୁ ବିକ୍ରି ପାଇଁ ଯାଉଛି। ଏଥିପାଇଁ ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ପକ୍ଷରୁ ଅନେକ ତାଲିମ ଓ ବିହନ ଯୋଗାଇଦେବା ମାଟି ପରୀକ୍ଷା କରାଇବା ଭଳି ସହାୟତା କରାଯାଉଛି।