ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ୍ ଋତୁରାଜଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ହେଲା ଉକ୍ତ ସମିତିର ପରିଚାଳନା ନିର୍ଦ୍ଦେଶିକା ଭାବେ ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ ପରିଚାଳନା କରୁଥିବା ବେଳେ ତାଙ୍କର ପରିଚାଳନା କରିବାର ଦକ୍ଷତା ନ ଥିବା ଅଭିଯୋଗ ହୋଇଛି। ସେ ନିୟମିତ ବୋର୍ଡ ବୈଠକ କରୁ ନ ଥିବା ବେଳେ ନିଜ ଭାଇଙ୍କୁ ସେଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହ ତାଙ୍କୁ ଏକାଧିକ ସାଧାରଣ ବିକ୍ରୟ କେନ୍ଦ୍ରର ସେଲ୍ସମ୍ୟାନ୍ ଭାବେ ଦାୟିତ୍ୱ ଦେଇଥିବାରୁ ସେ ତାଙ୍କ ଭଉଣୀ ନିର୍ଦ୍ଦେଶିକା ଥିବାରୁ ସେ କାହାକୁ ଭୟ ନ କରି ସାଧାରଣ ବଣ୍ଟନରେ ଅନିୟମିତତା କରିବାକୁ ପଛାଉନାହାନ୍ତି। କେବଳ ପରିଚାଳନା ନିର୍ଦ୍ଦେଶିକା ନୁହନ୍ତି, ବାଲିଗୁଡ଼ାର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋ-ଅପରେଟିଭ୍ ସୋସାଇଟି(ଏଆର୍ସିଏସ୍)ର ସୁକାନ୍ତ ପାଢ଼ୀ ମଧ୍ୟ ଏହି ସମିତି ପରିଚାଳନାରେ ଅନିୟମିତତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଅଭିଯୋଗ ହୋଇଛି। ସେହିପରି ସାଧାରଣ ବଣ୍ଟନ ପାଇଁ ମୋଟ ୧୭ଟି ବଣ୍ଟନ କେନ୍ଦ୍ର ରହିଥିବା ବେଳେ ୧୩ଟି କେନ୍ଦ୍ରରେ ବିକ୍ରେତା ତଥା ସେଲ୍ସମ୍ୟାନ୍ ପଦବୀ ଖାଲିପଡ଼ିଥିଲେ ସୁଦ୍ଧା ତାହାକୁ ନିର୍ଦ୍ଦେଶିକା ପୂରଣ କରୁ ନାହାନ୍ତି। ସେହିପରି ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଚନ୍ଦ୍ରମଣି ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏ ସମ୍ପର୍କରେ ବୋର୍ଡ ସଦସ୍ୟମାନେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ବ୍ୟାପକ ଦୁର୍ନୀତିର ତଦନ୍ତ ଅଧାରେ ରହିଲା। ଏହାର ଠିକ୍ ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିପାରିବ ବୋଲି ଦାବି କରାଯାଇଛି। ବୋର୍ଡ ସଦସ୍ୟ ଚକ୍ରଧର ମଲିକ, ସାଧୁ ନାୟକ, ପଠାଣ ସାହୁ, ଦିଲୀପ ପ୍ରଧାନ, ଚିତ୍ରସେନ ପ୍ରଧାନ, ପ୍ରକାଶ ପ୍ରଧାନ, ଜୁନସ୍ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମବାୟ ସମିତିରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ସମୟ ଅନୁସାରେ ବୋର୍ଡ ବୈଠକ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନ ପୂର୍ବରୁ ସମିତିର ପରିଚାଳନା ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ପ୍ରଧାନଙ୍କୁ ଜବାବ ତଲବ କରିଥିଲେ। ସମିତିର ସମସ୍ୟା ସମ୍ପର୍କରେ ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ଦାରିଙ୍ଗବାଡ଼ିରେ ନୂତନ ୭ଟି ବହୁମୁଖୀ ସମବାୟ ସମିତି ଖୋଲିବ। ତେଣୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବୈଠକ ନିୟମିତ ହୋଇପାରୁନାହିଁ।