ବାଲେଶ୍ବର – ଦିନେ ଦର୍ଶକଙ୍କୁ ନିଜର କଣ୍ଠ ସ୍ବରରେ ବାନ୍ଧି ରଖୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ବର ଆଉ ସୁନ୍ଦର ଚେହେରା ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମତୁଆଲା କରୁଥିଲା । ତୁଳସୀ ଗଣନାଟ୍ୟର ଗାୟିକା ମଞ୍ଜୁଶ୍ରୀ ମଞ୍ଚ ଉପରକୁ ଆସିଲେ ଦର୍ଶକଙ୍କ କରତାଳିରେ ଫାଟି ପଡୁଥିଲା ମଞ୍ଚ । ହେଲେ ଆଉ ହୁଏତ ଶୁଣିବାକୁ ମିଳି ନପାରେ ମଞ୍ଜୁଶ୍ରୀଙ୍କ ଯାଦୁଗରୀ ସ୍ବର । ଦୁଇଟି କିଡନୀ ନଷ୍ଟ ହେବାପରେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି ମଞ୍ଜୁଶ୍ରୀ । ଯାହା କିଛି ଟଙ୍କା ସଞ୍ଚୟ କରି ରଖିଥିଲେ ଏବେ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଯିବା ପରେ ଅର୍ଥାଭାବ ଯୋଗୁଁ ଆଉ ଚିକିତ୍ସା ହୋଇ ନପାରି ଘରେ ପଡ଼ି ରହିଛନ୍ତି । ଝିଅର ଏପରି ଅବସ୍ଥା ଦେଖି ବୃଦ୍ଧା ମା ଏବଂ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ପଞ୍ଚାୟତ କୁଚିଲାଡାଙ୍ଗ ଗାଁର ମଞ୍ଜୁଶ୍ରୀ ମଣ୍ତଳ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ଥିଲା ଅହେତୁକ ଦୁର୍ବଳତା । ସ୍କୁଲରେ ପଢୁଥିବା ସମୟରେ ବିଭିନ୍ନ ଅନୁଷ୍ଠାନ ଏବଂ ମଞ୍ଚରେ ସଙ୍ଗୀତ ପରିବେଷଣ କରି ବେଶ ପ୍ରଶଂସା ସାଉଣ୍ଟି ଥିଲେ । ଇଚ୍ଛା ରଖିଥିଲେ ଭବିଷ୍ଯତରେ ବଡ ଗୀତିକାର ହେବା ପାଇଁ । ମାତ୍ର ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଗ୍ରାଜୁଏସନ ଶେଷ ହେବା ପରେ ମଞ୍ଜୁଶ୍ରୀ ତୁଳସୀ ଗଣନାଟ୍ୟରେ ଗାୟିକା ଭାବରେ ଯୋଗଦେଇ ଥିଲେ । ବାପା ଗଣେଷ ମଣ୍ତଳଙ୍କ ମୃତ୍ଯୁ ପରେ ମଞ୍ଜୁଶ୍ରୀ ଏବଂ ତାଙ୍କ ଭାଇ କାର୍ତ୍ତିକ ପର ଘରେ ମୂଲ ଲାଗି ଯାହା କିଛି ରୋଜଗାର କରୁଥିଲେ କଷ୍ଟେମଷ୍ଟେ ତେଲ ଲୁଣର ସଂସାର ଚଳାଇ ନେଉଥିଲେ । କିନ୍ତୁ ଏ ହସଖୁସିର ସଂସାରରେ କଳା ବାଦଲ ଘୋଟି ଆସିବା ଭଳି ମଞ୍ଜୁଶ୍ରୀ ଯାତ୍ରା ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ଡାକ୍ତରଙ୍କ ପାଖକୁ ଯିବା ପରେ ସମସ୍ତ ପରୀକ୍ଷା ନିରୀକ୍ଷା କରି ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ବୋଲି କହିଥିଲେ । ଯାହା ଶୁଣିବା ପରେ ମଞ୍ଜୁଶ୍ରୀ ଏବଂ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇ ଥିଲା । ଯାତ୍ରା ପାର୍ଟିରୁ ଛୁଟି ନେଇ ଘରକୁ ଆସିବା ପରେ ତାଙ୍କର ସଞ୍ଚିତ ଅର୍ଥ ଏବଂ ଯାହା କିଛି ସମ୍ବଳ ଥିଲା ତାକୁ ବିକ୍ରି କରି ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଡାକ୍ତର କହିଛନ୍ତି କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ । ଏବେ ଅର୍ଥାଭାବ ଯୋଗୁଁ ଘରେ ବିଛଣାରେ ପଡି ରହି ଆଖିରୁ ଲୁହ ଗଡାଉଛନ୍ତି ମଞ୍ଜୁଶ୍ରୀ । ଝିଅର ଏପରି ଅବସ୍ଥା ଦେଖି ବନ୍ଧୁ ବାନ୍ଧବ ଏବଂ ସାହି ପଡିଶାଙ୍କ ଆଖିରୁ ଲୁହ ଶୁଖୁନି । ମଞ୍ଜୁଶ୍ରୀଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ କେବଳ ଘର ଖଣ୍ତିଏ ବ୍ଯତୀତ ଜମିବାଡି କିଛି ନାହିଁ । ଘରେ ଯାହା କିଛି ସମ୍ବଳ ଥିଲା ମଞ୍ଜୁଶ୍ରୀ ଙ୍କ ଚିକିତ୍ସା ର ସବୁ ଖର୍ଚ୍ଚ ହୋଇଯିବା ପରେ ପେଟକୁ ଦିଓଳି ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ବି ସଂଘର୍ଷ କରିବାକୁ ପଡୁଛି । ଏଭଳି ସ୍ଥିତିରେ ଏତେ ଟଙ୍କା କେମିତି ଯୋଗାଡ କରିବେ ଆଉ ଝିଅର ଜୀବନ ବଞ୍ଚାଇବେ ସେ କଥା ଚିନ୍ତା କରି କାନ୍ଦି କାନ୍ଦି ସହାୟତା ପାଇଁ ଗୁହାରୀ କରିଛନ୍ତି ବୃଦ୍ଧା ମା ଏବଂ ପରିବାର ଲୋକେ । ଯଦି ସରକାର କିମ୍ବା କୌଣସି ବଦାନ୍ଯ ବ୍ଯକ୍ତି ଅସହାୟ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରନ୍ତି ହୁଏତ ତାଙ୍କର ଜୀବନ ବଞ୍ଚିଯାଇ ପାରନ୍ତା। ଆମେ ମଧ୍ଯ ଆପଣଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ଅନୁରୋଧ କରୁଛୁ ସାହାଯ୍ଯ ପାଇଁ । କାରଣ ଆପଣମାନେ ଏଭଳି ଅନେକ ଲୋକଙ୍କୁ ସାହାଯ୍ଯ କରି ଜୀବନ ବଞ୍ଚାଇବାରେ ସହାୟକ ହୋଇ ଛନ୍ତି । ଯଦି ଆପଣ ମାନେ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ କିଛି ଆର୍ଥିକ ସହଯୋଗ କରିବାକୁ ଚାହାନ୍ତି ତାହାଲେ ତାଙ୍କ ବ୍ଯାଙ୍କ ଆକାଉଣ୍ଟ କିମ୍ବା ଫୋନ୍ ପେ ରେ ଟଙ୍କା ପଠାଇ ପାରିବେ ।