ଖଜୁରିପଡା – କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡ଼ା ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ସାକାଡି ଗ୍ରାମକୁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଗସ୍ତ କରି ସେଠାରେ ବସବାସ କରୁଥିବା ୧୬ ପରିବାରଙ୍କ ସହ ଆଲୋଚନା କରିଥିଲେ। ସ୍ବାଧୀନତା ପରଠାରୁ ପ୍ରଥମଥର ଜଣେ ବିଧାୟକଙ୍କୁ ଗ୍ରାମରେ ପାଇ ଗ୍ରାମବାସୀ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ସେମାନେ ଅନେକ ଲିଖିତ ଅଭିଯୋଗ ବିଧାୟକଙ୍କୁ ପ୍ରଦାନ କରିଛନ୍ତି l ଚକାପାଦ ବ୍ଲକ ଏବଂ ଖଜୁରିପଡା ବ୍ଲକର ସୀମାରେଖା ତଥା ଘଞ୍ଚ ଜଙ୍ଗଲ ଭିତରେ ବସବାସ କରୁଥିବା ଏହି ଆଦିବାସୀଙ୍କ ଗ୍ରାମକୁ ବିଧାୟକ ମଲିକ କିଛି ରାସ୍ତା ନିଜ ଗାଡ଼ିରେ ଯାଇ କିଛି ବାଟ ବାଇକ୍ରେ ଏବଂ କିଛିବାଟ ଚାଲିଚାଲି ଯାଇ ସାକାଡି ଗ୍ରାମରେ ପହଞ୍ଚତ୍ଥିଲେ। ଗ୍ରାମବାସୀ ବିଧାୟକ ଏବଂ ତାଙ୍କ ସହ ଥିବା ଅନ୍ୟମାନଙ୍କୁ ସ୍ବାଗତ କରିଥିଲେ l ପରେ ସମସ୍ତେ ଏକ ବୈଠକରେ ମିଳିତ ହୋଇଥିଲେ। ଗ୍ରାମବାସୀ ଗମନାଗମନ ପାଇଁ ସ୍ଥାୟୀ ରାସ୍ତା ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଅଞ୍ଚଳର ବିକାଶ କିଭଳି ଦୟନୀୟ ହୋଇପଡିଛି ସେ ନେଇ ବିଧାୟକଙ୍କୁ ଅବଗତ କରିଥିଲେ। ସେହିଭଳି ବିଦ୍ୟାଳୟ, ଧାର୍ମିକ ଅନୁଷ୍ଠାନ, ପାନୀୟଜଳ, ବିଦ୍ୟୁତ୍ ଆଲୋକ, ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ଅନେକ ସୁବିଧାରୁ ସେମାନେ ବଞ୍ଚତ୍ତ ହୋଇ ରହିଥିବା କହିଥିଲେ l ଗ୍ରାମରୁ ସରକାରୀ ଭତ୍ତା, ଚାଉଳ ପାଇଁ ପଞ୍ଚାୟତକୁ ଯିବାକୁ ହେଲେ ଗୁରାଣ୍ଡି ଏବଂ ଅରାପାଜୁ ଛଡ଼ାପାଜୁ ଜଙ୍ଗଲ ଭିତରେ ଦୀର୍ଘ ୮ କି.ମି. ଚାଲି ଚାଲି ଯିବାକୁ ପଡୁଥିବା ପ୍ରକାଶ କରିଥିଲେ l ଗ୍ରାମବାସୀଙ୍କ ବହୁବିଧ ସମସ୍ୟାକୁ ଉପଲବ୍ଧି କରି ବିଧାୟକ ଦୁଃଖ ପ୍ରକାଶ କରିବା ସହ ନିଶ୍ଚିତ ସାକାଡି ଗ୍ରାମର ବିକାଶ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରି କିଛି ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ମଲିକଙ୍କ ସହ ଖଜୁରିପଡା ଜିଲା ପରିଷଦ ସଦସ୍ୟା ଉର୍ବଶୀ ଦିଗାଲ, ଏମ୍ପି ପ୍ରତିନିଧି ମନୋଜ ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ, ଖଜୁରିପଡା ମଣ୍ଡଳ ସଭାପତି ରଞ୍ଜନ କହଁର, ସାଧାରଣ ସମ୍ପାଦକ ଦଶରଥ ସାହୁ, କେଦାର ଗୌରୀ ସାହୁ, ଦେବାଶିଷ ପ୍ରିୟଦର୍ଶିନ ସାହୁ, ପିଙ୍କୁ ନନ୍ଦ, ସାଇବନ କହଁର, ପୂର୍ବତନ ୱାର୍ଡସଭ୍ୟ ବିଶ୍ୱନାଥ ଗଣ୍ଡା, ରୋହିତ ପ୍ରଧାନ, ସୁଧାସାର କହଁର, ସୁମନ ମଲିକ, ସୁଚିତ୍ରା ମଲିକ, ଅମ୍ରିତା କହଁର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
