ବ୍ରାହ୍ମଣୀଗାଁ :ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ଜଣାଶୁଣା କୁମ୍ଭାରୀଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ୧୧ଟି ୱାର୍ଡ଼କୁ ନେଇ ଏହି ପଞ୍ଚାୟତ ଗଠିତ ଥିବା ବେଳେ ଏହାର ଜନ ସଂଖ୍ୟା ପ୍ରାୟ ୫ ହଜାରରୁ ଅଧିକ ରହିଥିବା ଜଣାପଡ଼ିଛି। କୁମ୍ଭାରୀଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଏବେ ପାଣି କାଦୁଅ ଭର୍ତ୍ତି ହୋଇ ରହିଛି । ଯାହା ପୂର୍ତ୍ତ ବିଭାଗ ରାସ୍ତାରୁ ପ୍ରାୟ ୨ କି.ମି ହେବ। ଗାଁକୁ ଭଲ ରାସ୍ତା ନ ଥିବାରୁ ବର୍ଷା ହେଲେ କାଦୁଅ ଭରା ରାସ୍ତା ଦେଇ ଗର୍ଭବତୀ ଓ ରୋଗୀଙ୍କୁ ରାତି ଅଧରେ ଜରୁରୀ କାଳୀନ ସେବା ପାଇଁ ସମ୍ପର୍କୀୟ ମାନେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ସ୍କୁଲ କଲେଜ ପିଲା ଯିବା ଆସିବା କରନ୍ତି। ରାସ୍ତାର ମଝିରେ ଖାଲ ଢିପ ଥିବା ବେଳେ ଅଧିକାଂଶ ଜାଗାରେ ପିଚୁ ସବୁ ବାହାରି କାଦୁଅ ସର୍ସର୍ ହୋଇଛି । ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ବି ଠିକ ସେ ଯାତାୟାତ କରିହେଉ ନାହିଁ। ଏପରିକି ଯେ ନିତିଦିନିଆ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେବାର ନଜିର ରହିଛି। ବର୍ଷା ଦିନରେ ପିଡିଏସ୍ ଚାଉଳ ଗାଡ଼ି ଦବି ଯାଇ ଠିକ ସମୟରେ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଦୁର୍ଗମ ଅଞ୍ଚଳରେ ଏଭଳି ସମସ୍ୟାର ଅଭିଯୋଗ ପରେ ବି ସମାଧାନ ପାଇଁ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ଉକ୍ତ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ସବୁଦିନିଆ ଭଲ ରାସ୍ତା ନ ଥିବାରୁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ପଞ୍ଚାୟତର ଅନେକ ଗ୍ରାମ ଅଛି ଯାହା ଏ ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ବି ନାହିଁ। ଏଠାକୁ ବ୍ଲକରୁ ଆରମ୍ଭ କରି ଜଲା ପ୍ରଶାସନର ବଡ଼ବଡ଼ ଅଧିକାରୀ ମାନେ ଆସନ୍ତି ହେଲେ ଗ୍ରାମବାସୀମାନେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ବି କାହାରି ନ ଜର ରାସ୍ତା ଉପରେ ପଡ଼ୁନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
