ବାଲିଗୁଡ଼ା : ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ବ୍ଲକ୍ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଟଙ୍କା ଆତ୍ମସାତ ଘଟଣାରେ କନ୍ଧମାଳ ଜିଲାପାଳଙ୍କ ଛାଟ ବାଜିଛି। କୋଟଗଡ଼ ବ୍ଲକରେ ୨୦୨୨-୨୩ରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଗତବର୍ଷ ଜୁନ ପହିଲାରେ କେନ୍ଦ୍ର ସରକାରଙ୍କ ମେଟେରିଆଲ ବିଲ ପୈଠ ପରେ ବ୍ୟାପକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କୋଟଗଡ଼ ବିଡିଓ ଶୁଭକାନ୍ତ ନାୟକ ଦୁର୍ଗାପଙ୍ଗା ପଞ୍ଚାୟତରେ ପ୍ରାୟ ଦେଢ଼ କୋଟି ଅର୍ଥର ହିସାବ ମିଳୁ ନ ଥିବା ନେଇ ଉପରିସ୍ଥ ଜିଲା ଅଧିକାରୀଙ୍କୁ ତଦନ୍ତ କରିବାକୁ ସୁପାରିଶ କରାଯାଇଥିଲା। ମେ ୨୯ରେ ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୬୮୮ ଅନୁଯାୟୀ ବିଷ୍ଣୁ ଚରଣ ବେହେରା ତତକାଳୀନ ପିଇଓଙ୍କୁ ନିଲମ୍ବନ ଆଦେଶ ସହ ମେ ୨୮ରେ ଜିଲାପରିଷଦ କନ୍ଧମାଳ କାର୍ଯ୍ୟାଳୟ ଜିଲାପାଳ ତଥା ଡିପିସି ମନରେଗା ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୨୦୯୮ ଅନୁଯାୟୀ ତତକାଳୀନ ଦୁର୍ଗାପଙ୍ଗା ଜିଆରଏସ ଓ ବର୍ତ୍ତମାନ ବେଲଘର ଗୁମା ପଞ୍ଚାୟତର ଏଡିଓ ବଳରାମ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।
