୫୩ ତମ ଜନ୍ମଦିନ ପାଳନ କରୁଛନ୍ତି ଯୋଗୀ ଆଦିତ୍ୟନାଥ, ସୋସିଆଲ ମିଡିଆରେ ମିଳୁଛି ଜନ୍ମଦିନର ଶୁଭେଚ୍ଛା

ଉତ୍ତର ପ୍ରଦେଶ – ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିଜର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମଦିନରେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ବାର୍ତ୍ତା ମିଳୁଛି। ଯୋଗୀ ଆଦିତ୍ୟନାଥ ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଗୋରଖପୀଠର ମହନ୍ତ ହେବା ଠାରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏହି ଯାତ୍ରା ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା । ତେବେ ଆସନ୍ତୁ ଜାଣିବା କେମିତି ରାଜନୀତିରେ ପଶିଥିଲେ ଯୋଗୀ ।

ଯୋଗୀ ଆଦିତ୍ୟନାଥ ମାତ୍ର ୨୬ ବର୍ଷ ବୟସରେ ଗୋରଖପୁରରୁ ଲୋକସଭା ନିର୍ବାଚନ ଜିତି ସଂସଦରେ ପହଞ୍ଚିଥିଲେ । ଏହା ପରେ ସେ ପାଞ୍ଚ ଥର ସାଂସଦ ହୋଇଥିଲେ । ଯୋଗୀ ଆଦିତ୍ୟନାଥ ୫ ଜୁନ୍ ୧୯୭୨ରେ ଉତ୍ତରାଖଣ୍ଡର ପୌଢ଼ୀ ଗଡ଼ୱାଲ ଜିଲ୍ଲାର ପଞ୍ଚୁର ଗାଁର ଏକ ଗଡ଼ୱାଲି ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆନନ୍ଦ ସିଂହ ବିଷ୍ଟ ଏବଂ ମାତାଙ୍କ ନାମ ସାବିତ୍ରୀ ଦେବୀ । ସେ ଶ୍ରୀନଗରର ଗଡ଼ୱାଲ ବିଶ୍ୱବିଦ୍ୟାଳୟରୁ ଗଣିତରେ ବିଏସସି କରିଛନ୍ତି।

Umasankar Adv

ତେବେ ଯୋଗୀଙ୍କ ନାଁ ମୂଳରୁ ଯୋଗୀ ଆଦିତ୍ୟନାଥ ନଥିଲା ତାଙ୍କ ନାଁ ଅଜୟ ସିଂହ ବିଷ୍ଟ ଥିଲା । ଏହି ନାଁ ପରିବର୍ତ୍ତନ କରିବା ପଛରେ ବି ଏକ ରହିସ୍ୟ ଅଛି । ୧୯୯୩ ମସିହାରେ ସେ ଗଣିତରେ ଏମ୍ଏସସି ପଢ଼ୁଥିବା ସମୟରେ ଗୋରଖପୁର ଆସିଥିଲେ । ୧୫ ଫେବୃଆରୀ ୧୯୯୪ରେ ଗୋରଖନାଥ ମନ୍ଦିରରେ ରହିବା ସମୟରେ ସେ ସ୍ୱର୍ଗତ ମହନ୍ତ ଅବୈଦ୍ୟନାଥଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ଯୋଗୀ ହୋଇଥିଲେ । ଏବଂ ସେହି ଦିନ ଠାରୁ ତାଙ୍କ ନାମ ଅଜୟ ସିଂହ ବିଷ୍ଟରୁ ଯୋଗୀ ଆଦିତ୍ୟନାଥ ହୋଇଥିଲା ।

୧୯୯୬ ଲୋକସଭା ନିର୍ବାଚନରେ ସେ ମହନ୍ତ ଅବୈଦ୍ୟନାଥଙ୍କ ନିର୍ବାଚନ ପରିଚାଳନା କରିଥିଲେ । ୧୯୯୮ରେ ମହନ୍ତ ଅବୈଦ୍ୟନାଥ ତାଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ ଏବଂ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ ।

057 code kasam

୨୬ ବର୍ଷ ବୟସରେ ଲୋକସଭା ନିର୍ବାଚନ ଜିତି ରାଜନୈତିକ ଜୀବନରେ ପାଦ ଥାପିଥିଲେ ଯୋଗୀ । ସେ ସବୁଠାରୁ କନିଷ୍ଠ ସାଂସଦ ହେବାର ଗୌରବ ମଧ୍ୟ ପାଇଥିଲେ । ଯୋଗୀ ଯେତେବେଳେ ଗୋରଖନାଥ ମନ୍ଦିରର ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ, ତାଙ୍କୁ ମହାରାଣା ପ୍ରତାପ ଶିକ୍ଷା ପରିଷଦ ଅଧୀନରେ ପରିଚାଳିତ ସ୍କୁଲ ଏବଂ କଲେଜ ଏବଂ ଗୋରକ୍ଷପୀଠ ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା। ଏହା ସହିତ ତାଙ୍କୁ ଗୁରୁ ଗୋରଖନାଥ ହସ୍ପିଟାଲ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ଏହା ତାଙ୍କର ଖ୍ୟାତିକୁ ବଢ଼ାଇଥିଲା ।

ସାଂସଦ ଭାବରେ ଯୋଗୀ ଆଦିତ୍ୟନାଥ ଆତଙ୍କବାଦ, ନକ୍ସଲବାଦ ଏବଂ ଦେଶ ବିରୋଧୀ ଉପାଖ୍ୟାନର ମୁକାବିଲା ପାଇଁ ଖୋଲା ଭାଷଣ ଦେଉଥିଲେ ଏବଂ ନିଜ ଢଙ୍ଗରେ ଏସବୁକୁ ଶେଷ କରିବା ପାଇଁ ଘୋଷଣା କରି ଚାଲିଥିଲେ । ସେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ​​ଲଗାତାର ବିଜୟୀ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଏବଂ ୪୨ ବର୍ଷ ବୟସରେ ଲଗାତାର ପାଞ୍ଚ ଥର ସାଂସଦ ହୋଇ ରେକର୍ଡ କରିଥିଲେ ।

ଭୋର ୩ଟାରୁ ଆରମ୍ଭ ହେଉଥିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଥାଏ । ସକାଳ ଯୋଗ ଠାରୁ ଆରମ୍ଭ କରି ସେ ପୂଜା, ଗୋ ସେବା, ଜନତା ଦରବାର ପରେ ଅଞ୍ଚଳ ପରିଦର୍ଶନ କରିବା ସହ ରାଜନୈତିକ କାର୍ଯ୍ୟ କରନ୍ତି ।

ସେ ୨୦୧୭ ଏବଂ ୨୦୨୨ ମସିହାରେ ଲଗାତାର ଦୁଇ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ଗୋରଖପୀଠ-ବସ୍ତି ଡିଭିଜନର ସମସ୍ତ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉତ୍ତରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ପ୍ରଚାର ଦାୟିତ୍ୱ ନେଇ, ସେ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିଥିଲେ । ସେ ଲଗାତାର ଗୋରଖପୀଠ, ଯୋଗ, ଧର୍ମ ଏବଂ ଆଧ୍ୟାତ୍ମିକତା ଉପରେ ପୁସ୍ତକ ମଧ୍ୟ ଲେଖି ଚାଲିଛନ୍ତି । ତେବେ ଯୋଗୀ ଜଣେ ବହୁତ ଭଲ ବକ୍ତା ଏବଂ ତାଙ୍କ ଭାଷଣର ପ୍ରଭାବ କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ସାରା ଦେଶରେ ଦେଖିବାକୁ ମିଳେ ।

057 code kasam
Leave A Reply

Your email address will not be published.