୨ ଦିନ ବିତିଲା, ମରାମତି ନୋହିଲା: ସର୍କସ ଭଳି ନଦୀ ପାର ହେଉଛନ୍ତି ବାଇକ ଆରୋହୀ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଚ୍ଛିନ୍ନ ଘଟଣାର ପାଖାପାଖି ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର ଗୁମାଠାରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ତେଣୁ ଉକ୍ତ ରାସ୍ତାରେ ଯାତ୍ରୀଙ୍କୁ ଯାତାୟାତ ପାଇଁ ବାରଣ କରିବା ସହ ସେଠାରେ ଏନେଇ ବୋର୍ଡ ଲଗାଇ ସଚେତନ କରାଇଛି। ତଥାପି ଯାତ୍ରୀଙ୍କ ପାଇଁ ଲାଇଫଲାଇନ କୁହାଯାଉଥିବା ଉକ୍ତ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ ଚାଲିଛି। ବାଇକ ଆରୋହୀମାନେ ଉକ୍ତ ଡାଇଭର୍ଶନ ରାସ୍ତାରେ ୨ ଖଣ୍ଡ କାଠ ଓ ତାହାରି ଉପରେ ବାଲି ବସ୍ତା ପକାଇ ଯାତାୟାତ କରୁଛନ୍ତି। ଫଳରେ କେଉଁ ସମୟରେ ମଧ୍ୟ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବିଭାଗ କେବଳ ବୋର୍ଡ ଲଗାଇ କୌଣସି ପଦକ୍ଷେପ ନେଉନାହାନ୍ତି କି ସେଠାରେ କେହି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ଦାୟିତ୍ୱରେ ଥିବା ସୁପରଭାଇଜର କହିଛନ୍ତି, ବର୍ଷା ଜଳ ବୋହିବା କମିଲେ ହୋମ ପାଇପ ପକାଯାଇ ମରାମତି କରାଯିବ। କିନ୍ତୁ ଜଳ କମିବାରେ ନାମ ଧରୁନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.