ଉଦଳା: ୪୨୦ ଅଧ୍ୟାପକ । ଯୋଗ୍ୟତା ନଥାଇ ବି କରିଥିଲେ ସରକାରୀ ଚାକିରୀ । ଏମିତି କଣ ସମ୍ଭବ । ଖଣ୍ଡେ ସରକାରୀ ଚାକିରୀ ପାଇଁ ଲୋକେ କେତେ କଣ କରୁଛନ୍ତି ତା ବିଷୟରେ ନ କହିବା ଭଲ । ହେଲେ ଏଠି ଲୋକେ ଯୋଗ୍ୟତା ନ ଥାଇ ବି ଜାଲ ସାର୍ଟିଫିକେଟରେ କରୁଛନ୍ତି ସରକାରୀ ଚାକିରୀ । କେବଳ ଯେ ସରକାରୀ ଚାକିରୀ କରିଛନ୍ତି ତା ନୁହେଁ । ସରକାରଙ୍କୁ ଚୂନ ଲଗାଇ ଲୁଟି ନେଲେଣି ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଆଉ ତଦନ୍ତ ସମୟରେ ଘଟଣାର ଖୋଳତାଡ଼ କରିବାରୁ ସବୁ ସତ ପଦାକୁ ଆସିଛି ।
ସରକାରଙ୍କୁ ଠକି ସମସ୍ତଙ୍କ ଆଖିରେ ଧୂଳି ଦେଇ ଚାକିରୀ କରିଥିଲେ ଅଧ୍ୟାପକ । ହେଲେ ଏବେ ଜାଲିଆତି ଧରା ପଡିବା ପରେ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦାୟିତ୍ବ ହସ୍ତାନ୍ତର କରିବାକୁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଅଧ୍ୟାପକଙ୍କୁ ଆସିଛି ଚିଠି । ତେବେ ଅଧ୍ୟାପକ ଜଣକ ହେଲେ ଉଦଳା କଲେଜର ଜୁଲୋଜି ବିଭାଗ ଅଧ୍ୟାପକ ପ୍ରଭାକର ସାହୁ । ୧୯୯୩ ମସିହାରେ ପିଜି ପାସ କରିଥିବା ପ୍ରଭାକର ସାହୁ ୧୯୯୨ ମସିହାରେ ଅଧ୍ୟାପକ ଭାବେ ଚାକିରୀରେ ନିଯୁକ୍ତି ପାଇଥିଲେ । ଠିକ ଶୁଣିଲେ ଆଜ୍ଞା ପିଜି ପାସ୍ ଆଉଟ କରିବା ପୂର୍ବରୁ ହିଁ ଚାକିରି ପାଇଥିଲେ ଅଧ୍ୟାପକ ।

ନିଯୁକ୍ତି ସମୟରେ ଅଧ୍ୟାପକ ହେବା ପାଇଁ ଯୋଗ୍ୟତା ନଥିଲା । କିନ୍ତୁ ଜାଲ ଦସ୍ତାବିଜ ଦେଇ ସମସ୍ତଙ୍କୁ ଭୁଆଁ ବୁଲାଇ ଚାକିରୀ କରିଥିଲେ ପ୍ରଭାକର ସାହୁ । ଖାଲି ଯେ ଚାକିରି କରିଥିଲେ ତା ନୁହେଁ ସରକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଛନ୍ତି ଅଧ୍ୟାପକ । ଘଟଣାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ଉଦଳା କଲେଜରେ ସାର୍ଟିଫିକେଟ ଯାଞ୍ଚ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରେ ଏହାକୁ ନେଇ ଚାଲିଥିଲା ତଦନ୍ତ । ଉଚ୍ଚ ଶିକ୍ଷା ବିଭାଗ ନିକଟରେ ସେ ଚାକିରୀ ନିଯୁକ୍ତି ସମୟ ବେଳକୁ ପିଜି ପାସ କରିଥିବା ନେଇ କୌଣସି ତଥ୍ୟ ଦେଇପାରି ନଥିଲେ, ଯାହା ପରେ ଉଚ୍ଚ ଶିକ୍ଷା ବିଭାଗ ନେଇଛି ଆକ୍ସନ ।
୧୯୯୩ ରେ ପିଜି ପାସ ହୋଇଥିବାରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କର ଗ୍ରାଣ୍ଟ ଇନ ଏଡ୍ ସୁବିଧା ଉଠାଇ ନିଆଯାଇଛି । ଏହା ସହିତ ସରକାରଙ୍କୁ ଠକି ନେଇଥିବା ସମସ୍ତ ସୁବିଧା ବା ଟଙ୍କା ଫେରସ୍ତ କରିବାକୁ ଚିଠି କରିଛି ଉଚ୍ଚ ଶିକ୍ଷା ବିଭାଗ । ଏହା ସହିତ ଉଚ୍ଚ ଶିକ୍ଷା ବିଭାଗ ଅର୍ଡର ଆଧାରରେ ଅଧ୍ୟାପକଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିଠି କରାଯାଇଛି ବୋଲି କହିଛନ୍ତି କଲେଜ୍ ପ୍ରିନ୍ସିପାଲ । ଆଉ ଏ ସବୁ ଭିତରେ ଜାଲି ଅଧ୍ୟାପକ ପ୍ରଭାକର ସାହୁଙ୍କ ଜାଲିଆତିର ଭଣ୍ଡାମୀ ସାମ୍ନାକୁ ଆସିଥିବାବେଳେ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ଜାଲି ଅଧ୍ୟାପକଙ୍କ ସବୁ ସତ ପଦାକୁ ଆସିଥିବାବେଳେ ଉଚ୍ଚ ଶିକ୍ଷା ବିଭାଗ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।