ନୀଳଗିରି : ଛାତିଥରା, ଭୟଙ୍କର ଦୁର୍ଘଟଣା । ଭଙ୍ଗା ରୁଜା କାର୍ କୁ ଦେଖି ଯେକେହିବି ଅନୁମାନ କରିପାରିବ । ସତରେ କଣ ଏମିତି ବି ଆସେ ମୃତ୍ୟୁ? ଆଉ କିଛି ଘଣ୍ଟା ପରେ ସାଜିଥାନ୍ତେ ବର । ଘରକୁ ଆଣିଥାନ୍ତେ ନବବଧୂ । ସେଥିପାଇଁ ପରିବାରରେ ଥିଲା ଖୁସିର ମାହୋଲ । ହେଲେ ଅଧା ରହିଗଲା ସବୁ ସ୍ଵପ୍ନ, ମଉଳିଗଲା ସବୁ ଆଶା । ସବୁ ଖୁସି ନିମିଷକ ଭିତରେ ପାଣି ଫୋଟାକା ପରି ମିଳାଇଗଲା ।
ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ । ଏମିତି ଏକ ଦୁର୍ଘଟଣା ଘଟିଯିବ କିଏ କଳ୍ପନାରେ ସୁଦ୍ଧା ଭାବିପାରୁନାହାନ୍ତି । ହଁ ଦର୍ଶକବନ୍ଧୁ ଅଧା ରହିଗଲା ବାହାଘର ସ୍ଵପ୍ନ । ବାହାଘରର ଦୁଇଦିନ ଆଗରୁ ଏଇ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ବନ୍ଧୁଙ୍କୁ ଆଣିବାକୁ ଷ୍ଟେସନ ଗଲା ବେଳେ ଧକ୍କା ଦେଲା ଡମ୍ପର । ଆଉ ଦୁର୍ଘଟଣାରେ ଦାଦାର ମୃତ୍ୟୁ ହୋଇଥିବାବେଳେ ପୁତୁରା ଗୁରୁତର ।

ବାଲେଶ୍ୱର ନୀଳଗିରି ଥାନା ବାଲିଗୋହିରୀ ଛକ ନିକଟରେ ଘଟିଛି ଏହି ଛାତିଥରା ଭୟଙ୍କର ଦୁର୍ଘଟଣା । ମୃତକ ହେଲେ ଗୋବରା ଗାଁର ହରେକୃଷ୍ଣ ମହାଳିକ । ଖବର ମୁତାବକ, ହରେକୃଷ୍ଣଙ୍କର ବାହାଘରକୁ ବାକି ଥିଲା ଆଉ ଦୁଇଦିନ । ହସଖୁସିରେ ଫାଟି ପଡୁଥିଲା ପରିବାର । କାନ୍ଥରେ ନାଁ ବି ଲେଖା ସରିଥିଲା । ବନ୍ଧୁ, ବାନ୍ଧବରେ ଭର୍ତ୍ତି ହୋଇଥିଲା ଘର । ଆଉ କିଛି ବନ୍ଧୁ ଘରକୁ ଆସୁଥିଲେ । ତେବେ ସେମାନଙ୍କୁ ଆଣିବାକୁ ଷ୍ଟେସନ ଯାଉଥିଲେ ଦାଦା ଓ ପୁତୁରା ।
ହେଲେ ରାତି ୪ଟା ସମୟରେ ରାସ୍ତାରେ କାରକୁ ଧକ୍କା ଦେଇଥିଲା ଏକ ଡମ୍ପର । ଘଟଣାସ୍ଥଳରେ ଦାଦା ହରେକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ପୁତୁରା ଜ୍ୟୋତିଶଙ୍କରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏପଟେ ଏନେଇ ଖବର ମିଳିବା ପରେ ଦୁଃଖରେ ଭାଙ୍ଗିପଡିଛି ସାରା ପରିବାର । ନ୍ୟାୟ ଦାବିରେ କରାଯାଇଛି ରାସ୍ତା ଅବରୋଧ ।
ତେବେ ପ୍ରତିଦିନ ଆସୁଛି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଅନେକ ଖବର । ଉଜୁଡି ଯାଉଛି ଅନେକ ସଂସାର । ଏନେଇ ସରକାରଙ୍କ ପକ୍ଷରୁ ସଚେତନତା ସହ ଅମାନିଆଙ୍କ ଉପରେ ନିଆଯାଉଛି କଠୋର ପଦକ୍ଷପ । ତଥାପି କମୁନି ଦୁର୍ଘଟଣା । ତେବେ ମୃତକଙ୍କ ପରିବାର ବର୍ଗଙ୍କୁ ଭଗବାନ ଏଭଳି ଦୁଃଖକୁ ସହିବ ଧର୍ଯ୍ୟ ଏବଂ ସାହାସ ଦିଅନ୍ତୁ ।